ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋହ୍ଲହୁଣ୍ଡୁଳା ଗାଁ ପୋଲତଳେ ନାବାଳକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଜାରି | ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଂଚଳରୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ଯୋଡା ଥାନା ଅନ୍ତର୍ଗତ କୋହ୍ଲହୁଣ୍ଡୁଳା ଗାଁ ନିକଟ ପୋଲତଳେ ଜଣେ ନାବାଳକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଯୋଡା ପୋଲିସ୍ ହତ୍ୟା ସନ୍ଦେହରେ ତଦନ୍ତ ଆରମ୍ଭ କରିଛି।
ପ୍ରାପ୍ତ ସୂଚନା ମୁତାବକ ଆଜି ସକାଳୁ ସ୍ଥାନୀୟ କିଛି ମହିଳା ଶୌଚ ହେବାକୁ ଯାଇଥିବା ବେଳେ କୋହ୍ଲହୁଣ୍ଡୁଳା ପୋଲତଳେ ଜଣେ ନାବାଳକର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ମୃତକ ଜାମୁକୁଣ୍ଡିଆ ଗାଁର ଶୁକଦେବ ଲାଗୁରୀ ବୋଲି ଚିହ୍ନଟ ହୋଇଥିବା ବେଳେ ତାଙ୍କୁ କେହି ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ସୂଚନାନୁସାରେ ଗତକାଲି ସନ୍ଧ୍ୟାରେ ଶୁକଦେବ ମକରମେଳା ଦେଖିବାକୁ ପାଖ ଗାଁକୁ ଯାଇ ଘରକୁ ଫେରି ନଥିଲା। ଆଜି ସକାଳୁ ତାର କ୍ଷତବିକ୍ଷତ ମୃତଦେହ ପୋଲତଳେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିବା ସହ ସାଇଣ୍ଟିଫିକ୍ ଟିମକୁ ଖବର ଦେଇଥିଲା। ଖବର ନେବା ପର୍ଯ୍ୟନ୍ତ ପୋଲିସ୍ ସାଇଣ୍ଟିଫିକ୍ ଟିମର ଅପେକ୍ଷାରେ ରହିଥିବା ବେଳେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।