ବ୍ରାଉନସୁଗାର ଜବତ, ଦୁଇ ଜଣ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାରା ରାଜ୍ୟରେ ବ୍ରାଉନ ସୁଗାର ଭଳି ମାରାତ୍ମକ ନିଶା କାରବାର ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଯାହାର କବଳରେ ଯୁବ ସମାଜ କବଳିତ ହୋଇ ବହୁ ଅପରାଧିକ ମାମଲା ବଢିବାର ଲକ୍ଷ୍ୟ କରାଯାଉଛି। ତେବେ ଅବୈଧ ନିଶା କାରବାର ରୋକିବାରେ ବାରିପଦା ଟାଉନ ଥାନା ପୁଲିସକୁ ସଫଳତା ମିଳିଛି।

ବିଶ୍ୱସ୍ତସୂତ୍ର ଖବର ପାଇ ବାରିପଦା ଟାଉନ ଥାନା ପୁଲିସ ଚଢ଼ାଉ କରି ବ୍ରାଉନ ସୁଗାର ଜବତ ସହ କାରବାରରେ ସମ୍ପୃକ୍ତ ଥିବା ଦୁଇ ଜଣକୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ବିଜୟରାମଚନ୍ଦ୍ରପୁର ଅଞ୍ଚଳ ଚନ୍ଦନ ଶେଖର ପାତ୍ର(୨୭) ଓ ମାହେଶ୍ବରୀ ନାଇଡୁ(୩୧)। ସୂଚନା ଅନୁଯାୟୀ, ସୋମବାର ବାରିପଦା ଟାଉନ ଥାନା ପୁଲିସ ଦ୍ଵାରା ପେଟ୍ରୋଲିଂ ଜାରି ଥିବା ବେଳେ ବ୍ରାଉନ ସୁଗାର କାରବାର ନେଇ ବିଶ୍ୱସ୍ତସୂତ୍ରରୁ ଖବର ପାଇଥିଲେ। ଯାହାକୁ ନେଇ ପାଲବଣି ନିକଟସ୍ଥ ନିକୋ ଫେକ୍ଟ୍ରି ଛକ ନିକଟରେ ଚଢ଼ାଉ କରିଥିଲେ। ୬.୪ଗ୍ରାମର ବ୍ରାଉନ୍‌ସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧୫ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି।ବ୍ରାଉନ ସୁଗାର ବିକ୍ରି ନେଇ ଦୁହେଁ ଯୋଜନା ଚଳାଇଥିଲେ।

ତେବେ ଏହାକୁ ନେଇ ବାରିପଦା ଟାଉନ ଥାନାରେ କେଶ ନମ୍ବର ୨୯/୨୪ରେ ଏକ ମାମଲା ରୁଜୁ କରାଯାଇଛି। ଏଥି ସହିତ ଗିରଫଙ୍କ ଡାକ୍ତରୀ ମାଇନା ହେବା ପରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସୁମିତ କୁମାର ସରେନ କହିଛନ୍ତି। ଜଳେଶ୍ବର ଅଞ୍ଚଳରୁ ବ୍ରାଉନ ସୁଗାର ଆସି ବାରିପଦା ସହରରେ ବିକ୍ରି ହେଉଛି। ଉକ୍ତ କାରବାରରେ ଅଭ୍ୟାସଗତ ଅପରାଧୀ ମାନେ ଜଡିତ ରହି ବାରମ୍ବାର ଗିରଫ ହେଉଛନ୍ତି। ତେବେ ଧଳା ଜହର ବେପାରର ଚେର ବାରିପଦାରୁ କୁଆଡ଼େ ଲମ୍ବିଛି ତାହାର ତଦନ୍ତ କରି ଧଳା ଜହର ବେପାରର କିଙ୍ଗପିନକୁ ଗିରଫ କରିବା ନେଇ ପୁଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.