ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ତାତିଲା କଂଗ୍ରେସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ତାତିଲା କଂଗ୍ରେସ । ଦେବଗଡ ଜିଲ୍ଲାର ଧାନମଣ୍ଡିରେ ଚାଷୀମାନଙ୍କ ସମସ୍ୟାକୁ ନେଇ ମଙ୍ଗଳବାର ଦେବଗଡ ଜିଲ୍ଲା ବନ୍ଦ କରିଛି କଂଗ୍ରେସ । ଜିଲ୍ଲାର ଧାନମଣ୍ଡିରେ କଟନୀ ଛଟନୀ, ବସ୍ତାର ମୂଲ୍ୟ ଦିଆଯାଉନାହିଁ । ଆଜି ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ଏହି ବନ୍ଦକୁ ସମର୍ଥନ କରୁଛି ଜିଲ୍ଲା କୃଷକ ସଂଘ। ବନ୍ଦ ଯୋଗୁ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ, ଦୋକାନ ବଜାର ଏବଂ ଯାନବାହନ ଚଳାଚଳ ବନ୍ଦ ରହିଛି। ଆଜି ସକାଳେ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ଚାଷୀ ସଂଘ ସଦସ୍ୟମାନେ ନୀଲବେଣୀସାହି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଉପରେ ଧାନବସ୍ତା ରଖି ବିରୋଧ କରିବା ସହିତ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ମୁମ୍ବାଇ କଲିକତାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଗାଡ଼ି ଚାଳଚଳ ବନ୍ଦ ରହିଛି।

ଗତ ଡିସେମ୍ବର ମାସ ୧୫ରୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଧାନ ବିକ୍ରି ପାଇଁ ଜିଲ୍ଲାରେ ୧୯ହଜାର ୦୭୭ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ମିଲର୍ସମାନଙ୍କ ମନମାନି ଯୋଗୁଁ ଚାଷମାନଙ୍କ ଠାରୁ କ୍ରୟ କରାଯାଇଥିବା ଧାନ ଠିକ ସମୟରେ ମଣ୍ଡିରୁ ଉଠିନପାରି ମଣ୍ଡିରେ ପଡ଼ିରହୁଛି। ମଣ୍ଡିରୁ ଠିକ ସମୟରେ ଧାନ ଉଠୁନଥିବାରୁ ଚାଷୀମାନେ ଉପଯୁକ୍ତ ସମୟରେ ଧାନ ବିକ୍ରି କରିନପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପଟେ ଠିକ ସମୟରେ ଜିଲ୍ଲାର ସମସ୍ତ ପ୍ୟାକ୍ସରେ ଟାର୍ଗେଟ ଠିକ ସମୟରେ ଆସୁନଥିବା ଯୋଗୁଁ ଚାଷୀମାନେ ୨୦ ଦିନ ବିଳମ୍ବରେ ଧାନ ବିକ୍ରି କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଧାନମଣ୍ଡିରେ ମିଲର୍ସମାନେ କଟନିଛଟନି କରୁଥିବାବେଳେ ୨୫ କୁଇଣ୍ଟାଲରୁ ଅଧିକ ଧାନ ଚାଷୀମାନେ ବିକ୍ରି କରୁଥିଲେ ସେମାନଙ୍କୁ ମଣ୍ଡିକୁ ଧାନ ଆଣିବା ପାଇଁ ମିଲର୍ସମାନେ ବାଧ୍ୟ କରୁଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମ୍ରମ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.