ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାର୍ନା ଅଲ ଇଦୁନ ଆଶ୍ଳା ଅଁଳାଶୁଳୀ ଆନୁକୁଲ୍ୟରେ ବାହାନଡ଼ା ଠାରେ ଆଜି ଅର୍ଥାତ ରବିବାର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜନ୍ମ ବାର୍ଷିକୀ ପାଳନ ସହ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ପ୍ରଥମେ ସକାଳ ୮ ଘଟିକାରେ ସାର୍ନା ଅଲ ଇଦୁନ ଆଶ୍ଳାର କର୍ମକର୍ତ୍ତାଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇ ସେଠାରେ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଅପରାହ୍ନ ୨ ଘଟିକା ସମୟରେ ସୁଦର୍ଶନ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବାହାନଡ଼ା ସରପଞ୍ଚ ତଥା ପ୍ରଖ୍ୟାତ ସାନ୍ତାଳୀ ଲେଖକ ଈଶ୍ୱର ଚନ୍ଦ୍ର ସୋରେନ, ସମ୍ମାନିତ ଅତିଥି ଭାବେ ଆଦିବାସୀ ସେଙ୍ଗେଲ ଅଭିଯାନର ମାଧବଚନ୍ଦ୍ର ସୋରେନ ଏବଂ ଆଦିବାସୀ ସେଙ୍ଗେଲ ଅଭିଯାନର ଖୁଣ୍ଟା ବ୍ଲକ ସଭାପତି ଉଦୟନାଥ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ।
ଓଡିଶାରେ ସାନ୍ତାଳୀ ଭାଷାକୁ ଦ୍ବିତୀୟ ରାଜ୍ୟ ଭାଷାର ମାନ୍ୟତା ବିଷୟ ଉପରେ ଆଲୋଚନା କରାଯାଇଥିଲା। ଏଥି ସହ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ବପ୍ନ ପୂରଣ କରିବାକୁ ହେଲେ ସାର୍ନା ଧର୍ମକୁ ସମ୍ବିଧାନର ଧାରା ୨୫ ଅନୁସାରେ ମାନ୍ୟତା ଆବଶ୍ୟକତା ଅଛି ବୋଲି ସଭାରେ ଦାବୀ ହୋଇଛି।