ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟ ହୋଇପାରେ ବୋଲି ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ଯଦିଓ ୩ଦିନ ତଳେ ଉଭୟ ବିଜେପି ଓ ବିଜେଡି ଏଭଳି ଚର୍ଚ୍ଚାକୁ ଆନୁଷ୍ଠାନିକ ଭାବେ ଖଣ୍ଡନ କରିଥିଲେ, ମାତ୍ର ଆଜିର ରାଜନୀତିକ ଗତିବିଧି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଆଜି ବିଜେପି ନେତାମାନଙ୍କୁ ଅଚାନକ ଦିଲ୍ଲୀ ଡକା ଯାଇଥିବାବେଳେ ବିଜେଡି ନେତାମାନଙ୍କୁ ନବୀନ ନିବାସ ଡକାଯାଇଛି। ନିର୍ବାଚନୀ ରଣନୀତି ପ୍ରସଙ୍ଗରେ ଉଭୟ ଦଳର ବରିଷ୍ଠ ନେତାମାନେ ବିଚାରବିମର୍ଶ କରିବେ ବୋଲି ଜଣାପଡ଼ିଛି |
ତେବେ ବିଜେଡି-ବିଜେପି ମଧ୍ୟରେ ହୋଇପାରେ ମେଣ୍ଟ । ଏନଡିଏ ଭିତରକୁ ଫେରିପାରେ ବିଜେଡି । ମେଣ୍ଟ ନେଇ ଆସନ୍ତାକାଲି ହୋଇପାରେ ଚୂଡାନ୍ତ ଘୋଷଣା । ଏପରି ଚର୍ଚ୍ଚାକୁ ବଳ ଯୋଗାଇଛି ଉଭୟ ଦଳ ପକ୍ଷରୁ ଆଜି ଡକାଯାଇଥିବା ବୈଠକ । ବିଜେପିର ବୈଠକ ଦିଲ୍ଲୀରେ ବସୁଥିବା ବେଳେ ତାହା ପୂର୍ବରୁ ବସିବ ବିଜେଡି ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଡାକିଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ନବୀନ ନିବାସରେ ଆଜି(ବୁଧବାର) ଅପରାହ୍ନ 3. 30 ବସିବାକୁ ଯାଉଛି ଏହି ବୈଠକ । ବୈଠକରେ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ । ନବୀନ ନିବାସରୁ ଏନେଇ ନେତାମାନଙ୍କୁ ଡକରା ଆସିଛି ।
ସେପଟେ ବିଜେପିର ଜାତୀୟ ନେତୃତ୍ୱଙ୍କ ଡାକରାରେ ଦିଲ୍ଲୀ ଯାଉଛନ୍ତି ରାଜ୍ୟ ବିଜେପିର କୋର ଟିମ । ଦିଲ୍ଲୀରେ ଅପରାହ୍ନ 5.30 ବିଜେପିର ବୈଠକ ଅନୁଷ୍ଠିତ ହେବ । ତେବେ ଦୁଇ ଦଳର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ କେଉଁ ନିଷ୍କର୍ଷ ନିଷ୍ପତ୍ତି ନେବେ । କ’ଣ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବ । ଏହାକୁ ନେଇ ଏବେ ରାଜନୈତିକ ମାହୋଲରେ ଚର୍ଚ୍ଚା ବଢ଼ିବାରେ ଲାଗିଛି ।