ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଦାମପାହାଡରୁ ପୁରୀ ସ୍ବତନ୍ତ୍ର ଟ୍ରେନ ଚାଲିବ | ଶ୍ରୀ ଜଗନ୍ନାଥ ରଥଯାତ୍ରା ସ୍ପେଶାଲ ଟ୍ରେନ ବାଦାମପାହାଡ- ରାଇରଙ୍ଗପୁର ଭାୟା ଟାଟାନଗର ଭୁବନେଶ୍ବର- ପୁରୀ ଏକ୍ସପ୍ରେସ ଆସନ୍ତା ୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ | ଚଳିତ ବର୍ଷ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଳନ ଅବସରରେ ଦେଶର ସର୍ବୋଚ୍ଚ ନାଗରିକ ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ରଥଯାତ୍ରାରେ ଭାଗ ନେବେ |
ଏ ନେଇ ଆସନ୍ତା ଜୁଲାଇ ମାସ ୬ ତାରିଖରୁ ୯ ତାରିଖ ଯାଏ ଦିନ ଧାର୍ଯ୍ୟ କରାଯାଇଛି | ରଥଯାତ୍ରା ସହ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବାର ସମୟ ନିର୍ଘଣ୍ଟ ହୋଇଛି | ପ୍ରତି ବର୍ଷ ପରି ଚଳିତ ବର୍ଷ ପୁରୀ ରଥଯାତ୍ରା ପାଳନ ବେଳେ ପ୍ରବଳ ଜନ ସମାଗମ ନେଇ ରେଳ ବିଭାଗ ପକ୍ଷରୁ ବିଭିନ୍ନ ରେଳ ଲାଇନରେ ପୁରୀକୁ ବହୁ ଟ୍ରେନ ଚଳାଚଳ ନେଇ ତତ୍ପର ଦେଖାଯାଇଛି |
ଏଥିରେ ବାଦାମପାହାଡ ଠାରୁ ପୁରୀ ଯିବାକୁ ଥିବା ଟ୍ରେନଟି ରାଇରଙ୍ଗପୁର, ଟାଟା, ଘାଟଶିଳା, ଭଦ୍ରକ ଭାୟା ଦେଇ ଯିବାକୁ ଥିବା ବେଳେ ବାଦାମପାହାଡ, ରାଇରଙ୍ଗପୁର , ବହଳଦା ରୋଡ ଓ ଟାଟା ଜଂସନରେ ଅଟକିବ ବୋଲି ରେଳ ବିଭାଗ ସୂଚନା ଦେଇଛନ୍ତି | ଦୀର୍ଘ ଦିନର ଦାବି ସାକାର ହେବାକୁ ଯାଉଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଓ ପାଞ୍ଚପିଢ ଅଞ୍ଚଳର ଭକ୍ତମାନେ ମଧ୍ୟ ପୁରୀ ଯାତ୍ରା କରିବାର ସୁଯୋଗ ପାଇବେ |