ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ଅଧରପଣା ନୀତି ସମ୍ପନ୍ନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ଥାନୀୟ ପୋଲିସ ଲାଇନ ମନ୍ଦିରରେ ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ଅଧରପଣା ନୀତି ସମ୍ପନ୍ନ ହୋଇ ଯାଇଛି। ମହାପ୍ରଭୁଙ୍କ ଅନେକ ନୀତି ମଧ୍ୟରୁ ଏହି ଅଧରପଣା ନୀତି ଅନ୍ୟତମ। କ୍ଷୀର, ଛେନା, ଲବଣୀ ଆଦି ବିଭିନ୍ନ ସାମଗ୍ରୀରେ ପ୍ରସ୍ତୁତ ହୋଇଥାଏ ଏହି ପଣା। ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଙ୍ଗା ଅଧରରେ ଲାଗି ହେଉଥିବା କାରଣରୁ ଏହାର ନାମ ଅଧରପଣା।

ପ୍ରଥା ଅନୁଯାୟୀ ଚତୁର୍ଦ୍ଧା ମୂର୍ତ୍ତି ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବାହୁଡି ଆସିଥାନ୍ତି। କିନ୍ତୁ ତାଙ୍କ ଫେରିବା ବାଟକୁ ଦେବତା, ଦାନବ, ମାନବଙ୍କ ସହ ଅନେକ ଅଶରୀରୀ ମାନେ ମଧ୍ୟ ଚାହିଁ ରହିଥାନ୍ତି। ଅନ୍ୟପଟେ ମହାପ୍ରଭୁଙ୍କ ଠାରେ ଲାଗି ହେଉଥିବା ପ୍ରସାଦ ଟିକେ ପାନ କରି ମୋକ୍ଷପ୍ରାପ୍ତି ପାଇଁ ଆଶା ରଖିଥାନ୍ତି ସମସ୍ତେ। ତେଣୁ ଯେଉଁମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରନ୍ତି ନାହିଁ, ସେହିଭଳି ଅନେକ ଅଶରୀରୀ ମାନଙ୍କ ଉଦ୍ଦେଶ୍ୟରେ ଲାଗି ହୋଇଥାଏ ଏହି ଅଧରପଣା।

ବାହୁଡା ପରେ ଶ୍ରୀ ଜୀଉମାନେ ଏକାଦଶୀରେ ସୁନାବେଶରେ ଦର୍ଶନ କରିଥାନ୍ତି, ତହିଁ ପରଦିନ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ଅଧରପଣା ନୀତି ପରଦିନ ପୁଣି ନିଳାଦ୍ରି ବିଜେ କରିଥାନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବାରିପଦା ସ୍ଥିତ ପୋଲିସ ଲାଇନ ମନ୍ଦିରରେ ଗତ ୧୦ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି ରଥଯାତ୍ରା। ଶ୍ରୀକ୍ଷେତ୍ର ପୁରୀର ରୀତିନୀତିକୁ ଅନୁସରଣ କରି ଏଠାରେ ମଧ୍ୟ ନୀତିକାନ୍ତି ହୋଇଥାେ। ଏହାକୁ ପାଥେୟ କରି ଗୁରୁବାର ରାତିରେ ଏହି ନିଆରା ନୀତି ସମାପନ ହୋଇ ଯାଇଛି।

Leave A Reply

Your email address will not be published.