ଓଡ଼ିଆ ନ୍ୟୁଜ୍: ପାକିସ୍ତାନ ଉପରେ ଆଫଗାନିସ୍ତାନ ସେନାର ଭୟଙ୍କର ଆକ୍ରମଣ। ତାଲିବାନ୍ ଓ ପାକ୍ ସେନା ମଧ୍ୟରେ ପ୍ରବଳ ଗୁଳି ବିନିମୟ। ୧୨ ପାକିସ୍ତାନୀ ସୈନିକ ନିହତ ହୋଇଥିବା ସୂଚନା।କୁନାର ଓ ହେଲମାଣ୍ଡ ପ୍ରଦେଶ ସମେତ ଡୁରାଣ୍ଡ ସୀମାରେ ଯୁଦ୍ଧ ଜାରି। ଆଫଗାନିସ୍ତାନ ସେନା କବ୍ଜାରେ ପାକିସ୍ତାନର ଅନେକ ଆଉଟପୋଷ୍ଟ। ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ବିବୃତ୍ତିରେ ସୂଚନା।ଏହି ବହୁମୁଖୀ ଆକ୍ରମଣ ପାକିସ୍ତାନର ସାମ୍ପ୍ରତିକ ବାୟୁସେନା ଆକ୍ରମଣର ପ୍ରତିଶୋଧ ବୋଲି ତାଲିବାନ କହିଛି। ଦୁଇ ଦିନ ତଳେ କାବୁଲ, ଖୋଷ୍ଟ ଓ ନଙ୍ଗରହାର ପ୍ରଦେଶରେ ତାଲିବାନର ପ୍ରତିଷ୍ଠାନ ଉପରେ ପାକିସ୍ତାନ ବୋମାମାଡ଼ କରିଥିଲା। ଆଜି ତାଲିବାନର ୨୦୧ ଖାଲିଦ ବିନ୍ ଵାଲିଦ ଆର୍ମି କର୍ପ୍ସ ଏହି ଆକ୍ରମଣର ଦାୟିତ୍ୱ ନେଇ ଏହାକୁ ଆଫଗାନ ସାର୍ବଭୌମତ୍ୱର ରକ୍ଷା ବୋଲି ଦାବି କରିଛି।
ଏହି ଆକ୍ରମଣରେ ତାଲିବାନ ଭାରୀ ଯୁଦ୍ଧାସ୍ତ୍ର, ମୋର୍ଟାର ଓ ଡ୍ରୋନ୍ ବ୍ୟବହାର କରିଛି। ପାକିସ୍ତାନ ସେନାର ପ୍ରାୟ ୧୦ଟି ପୋଷ୍ଟ୍, ବାରାକ୍ ଓ ଲଜିଷ୍ଟିକ୍ ହବ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ ହୋଇଛି। କୁରମ୍, ବାଜାଉର୍ ଓ ଉତ୍ତର ଵଜିରିସ୍ତାନ ସୀମାରେ ଭୟାନକ ସଂଘର୍ଷ ଚାଲିଛି। ଦାଙ୍ଗାମ, ବିର୍କୋଟ, ଗୁଇ ସାର୍, ସ୍ପିନା ଓ ଶାଗା ସୀମାରେ ପାକ୍ ସେନାର ଭୀଷଣ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଅନେକ ପାକ୍ ନାଗରିକ ମଧ୍ୟ ଏଥିରେ ମୃତାହତ ହୋଇଥିବା ଖବର ମିଳିଛି। ୨୦୨୧ରେ ଆମେରିକୀୟ ସେନା ଛାଡ଼ି ପଳାଇଥିବା ସାମରିକ ଯାନ ଉପରେ ତାଲିବାନ ନିଜ ପତାକା ଉଡ଼ାଇ ଏହି ସଂଘର୍ଷରେ ସାମିଲ ହୋଇଥିବା ଜଣାପଡ଼ିଛି।