ବର୍ଷାରେ ସାମାନ୍ୟ ବ୍ରେକ୍ ପରେ ଆସୁଛି ଆଉ ଏକ ଲଘୁଚାପ, ୧୩ରୁ ପୁଣି ବଢ଼ିବ ବର୍ଷାର ପରିମାଣ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ କିଛିଦିନ ବର୍ଷାର ଫତଓ୍ୱା ଜାରି ପରେ ସାମାନ୍ୟ ବ୍ରେକ୍ ଲାଗିଛି। ତେବେ ଆସନ୍ତା ୧୩ରୁ ପୁଣି ବଢ଼ିବ ବର୍ଷାର ପରିମାଣ। ଆସନ୍ତା ୧୨ ତାରିଖରୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୩ରେ ଏହା ଲଘୁଚାପରେ ପରିଣତ ହେବ । ୧୩ରୁ ୧୫ ଯାଏଁ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୧୧ ତାରିଖ ଯାଏ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ପରେ ବର୍ଷା ବଢ଼ିପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି । ୧୬ରୁ ବର୍ଷା ପରିମାଣ କମିବ । ପଶ୍ଚିମ ଓଡ଼ିଶାର ଗୋଟିଏ ବା ୨ଟି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି କହିଛି, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୧୨ରୁ ୧୫ ଯାଏ ବର୍ଷା ବଢ଼ିବ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି । ଶନିବାର ରାଜ୍ୟର କାଁ ଭାଁ ସ୍ଥାନରେ ବର୍ଷା ହୋଇଛି । କେନ୍ଦ୍ରାପଡ଼ାରେ ୧୧.୨, ଜଗତସିଂହପୁରରେ ୨.୪ ଓ ଭଦ୍ରକରେ ୨.୪ମିମି ବର୍ଷା ହୋଇଛି । ଲଘୁଚାପ ବର୍ଷା ସତ୍ତ୍ବେ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି ।

ଜୁନ୍‌ ୧ ତାରିଖରୁ ସେପ୍ଟେମ୍ବର ୯ ତାରିଖ ଭିତରେ ରାଜ୍ୟରେ ମୋଟ ୮୮୮ମିମି ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ବର୍ଷାର ପରିମାଣ ୧୦୦୧ମିମି ଥିଲା । ତେବେ ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାରେ ରହିଛି ନିଅଣ୍ଟିଆ ସ୍ଥିତି।

Leave A Reply

Your email address will not be published.