ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅମୂଲ ପରେ ଦୁଗ୍ଧ ମୂଲ୍ୟ ବୃଦ୍ଧି କରିଛି ମଦର୍ ଡେରୀ(Mother Dairy)। ଆଜି କମ୍ପାନୀ ପକ୍ଷରୁ କ୍ଷୀର ପ୍ୟାକେଟ୍ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ନିକଟରେ ଅମୂଲ ମଧ୍ୟ କ୍ଷୀର ଲିଟର୍ ପିଛା ୨ ଟଙ୍କା ବୃଦ୍ଧି କରିଥିଲା। ଆଜିଠୁ(ସୋମବାର) ଏହି ନୂଆ ଦର ସାରା ଦେଶରେ ଲାଗୁ ହୋଇଛି । ମଦର ଡାଏରୀ ପୂର୍ବରୁ ଅମୁଲ ମଧ୍ୟ ରବିବାର କ୍ଷୀର ଦର ବୃଦ୍ଧି କରିଥିଲା । ଜିସିଏମ୍ଏମ୍ଏଫ୍ ଅମୁଲ ବ୍ରାଣ୍ଡ ଅନ୍ତର୍ଗତ କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟର କାରବାର କରିଥାଏ।
ଜିସିଏମ୍ଏମ୍ଏଫ୍ ପରିଚାଳନା ନିର୍ଦ୍ଦେଶକ ଜୟନ୍ ମେହେଟ୍ଟା କହିଛନ୍ତି ଯେ ଆମୁଲ ବ୍ରାଣ୍ଡ ଅନ୍ତର୍ଗତ ସମସ୍ତ ପ୍ରକାର କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଶେଷ ଥର ପାଇଁ ଜିସିଏମ୍ଏମ୍ଏଫ୍ କ୍ଷୀରର ମୂଲ୍ୟ ଫେବୃଆରୀ ୨୦୨୩ରେ ବୃଦ୍ଧି କରିଥିଲା । ମେହେଟ୍ଟା କହିଛନ୍ତି ଦୁଗ୍ଧଚାଷୀମାନେ ସେମାନଙ୍କ ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚକୁ ଭରଣା କରିବା ପାଇଁ ଏହି ବୃଦ୍ଧି ଆବଶ୍ୟକ । ଗତ ୧୫ ମାସ ମଧ୍ୟରେ ଇନପୁଟ୍ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଦର ବୃଦ୍ଧି କରିଛନ୍ତି ଦୁଗ୍ଧ କମ୍ପାନୀ। ଆଜିଠାରୁ ସମଗ୍ର ଦେଶରେ ଏହି ଦର ଲାଗୁ ହେବ ବୋଲି ମଦର୍ ଡେରୀ ପକ୍ଷରୁ କୁହାଯାଇଛି।କମ୍ପାନୀ କହିଛି ଯେ, ଜୁନ୍ ୩, ୨୦୨୪ ପରଠାରୁ ସମସ୍ତ ଅପରେଟିଂ ମାର୍କେଟରେ ଏହାର ତରଳ କ୍ଷୀର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି।
ବର୍ଷେରୁ ଅଧିକ ସମୟ ଧରି ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବାକୁ ଲାଗିଛି। ଉତ୍ପାଦକମାନଙ୍କୁ କ୍ଷତିପୂରଣ ଭରିବା ପାଇଁ କମ୍ପାନୀ ଦର ବୃଦ୍ଧି କରିଛି। କମ୍ପାନୀ ଆହୁରି କହିଛି ଯେ, ଗତ କିଛି ମାସ ମଧ୍ୟରେ କ୍ରୟ ମୂଲ୍ୟ ଅଧିକ ହୋଇଥିଲେ ମଧ୍ୟ ଗ୍ରାହକଙ୍କ ମୂଲ୍ୟ ବଜାୟ ରହିଥିଲା । କୌଣସି ପ୍ରକାର ଦର ବୃଦ୍ଧି କରାଯାଉ ନଥିଲା । ତାପମାତ୍ରା ବୃଦ୍ଧି କାରଣରୁ ଦୁଗ୍ଧ ଉତ୍ପାଦନ ଅଧିକ ପ୍ରଭାବିତ ହୋଇପାରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ମଦର ଡାଏରୀ ପ୍ରତିଦିନ ଦିଲ୍ଲୀ-ଏନ୍ସିଆରରେ ୩୫ ଲକ୍ଷ ଲିଟର କ୍ଷୀର ବିକ୍ରି କରିଥାଏ । ତେବେ କମ୍ପାନୀ ଶେଷ ଥର ପାଇଁ ଫେବ୍ରୁଆରୀ ୨୦୨୩ରେ ଦର ବୃଦ୍ଧି କରିଥିଲା ।