ଯାଜପୁରରେ ପୁଣି ନିର୍ବାଚନୀ ହିଂସା: ଭୋଟ ବାକ୍ସ ଲୁଟିଲେ ସାମ୍ବାଦିକଙ୍କୁ ଗୋଡାଇ ଗୋଡାଇ ପିଟିଲେ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଯାଜପୁରରେ ନିର୍ବାଚନୀ ହିଂସା। କେଉଠି ବିଡିଓଙ୍କୁ ଆକ୍ରମଣ କଲେ ତ କେଉଁଠି ଭୋଟ ବାକ୍ସ ଉଠାଇ ନେଇ ସାମ୍ବାଦିକଙ୍କୁ ପିଟିଲେ। ଡିଜିପିଙ୍କ ସତର୍କ ସତ୍ତ୍ବେ ଦୁର୍ବୃତ୍ତମାନେ ଭୟ କରିନାହାନ୍ତି। ଯାଜପୁର ଜିଲ୍ଲା କୋରାଇ ବ୍ଲକ ଗୋଳେଇପୁର ଗ୍ରାମ ପଞ୍ଚାୟତର ୮,୯,୧୦ ଓ ୧୧ ନଂ ବୁଥ୍‌ ରେ ଉତ୍ତେଜନା ଦେଖାଦେଇଛି। ବୁଥ୍‌ ରିଗିଂ ଅଭିଯୋଗ ପାଇ ଅନୁଧ୍ୟାନ କରିବାକୁ ଯାଇଥିବା ବେଳେ କୋରାଇ ବିଡ଼ିଓଙ୍କୁ କିଛି ଦୁର୍ବୃତ୍ତ ଦୁର୍ବବ୍ଯବହାର ସହ ଆକ୍ରମଣ କରିଥିବା ଜଣାପଡିଛି। ଏହାକୁ ନେଇ ୪ ଟି ବୁଥ୍‌ ରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଭୋଟଗ୍ରହଣ ବନ୍ଦ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ସୂଚନା ମୁତାବକ ଆଜି ଭୋଟ ଗ୍ରହଣ ଚାଲିଥିବା ବେଳେ ଗୋଳେଇପୁର ପଞ୍ଚାୟତର ସୋତୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ହୋଇଥିବା ୮,୯,୧୦ ଓ ୧୧ ନଂ ବୁଥରେ ରିଗିଂ ଅଭିଯୋଗ ହୋଇଥିଲା। କିଛି ଦୁର୍ବୃତ ଏଜେଣ୍ଟ ମାନଙ୍କୁ ଧରି ଜୋର ଜବରଦସ୍ତ ଲୋକଙ୍କ ପାଇଁ ଭୋଟ ଦେଉଥିବା ବିଡ଼ିଓ ସୂଚନା ପାଇଥିଲେ। ତେବେ କିଛି ସମୟ ପରେ ବିଡ଼ିଓ ରଞ୍ଜନ ପରିଡ଼ା ସ୍ଥିତି ଅନୁଧ୍ୟାନ କରିବାକୁ ସେଠାରେ ପହଞ୍ଚିଥିଲେ। ତେବେ ଏହି ସମୟରେ ସେଠାରେ ଥିବା କିଛି ଦୁର୍ବୃତ୍ତ ତାଙ୍କୁ ଦୁର୍ବ୍ଯବହାର କରିଥିଲେ। ବର୍ତ୍ତମାନ ଏହି ୪ଟି ବୁଥ୍‌ ରେ ଭୋଟଗ୍ରହଣ ବନ୍ଦ ରହିଥିବା ବେଳେ ପାଣିକୋଇଲି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।

ସେହିପରି ଯାଜପୁର ବିଂଝାରପୁରରେ ଭୋଟ୍‌ ବାକ୍ସ ଟେକିନେଇଛନ୍ତି  ଦୁର୍ବୃତ୍ତ। ବାଛୋଳ ପଞ୍ଚାୟତର ୨ ଓ ୪ନଂ ବୁଥ୍‌ରୁ ଟେକିନେଲେ ଭୋଟ ବକ୍ସ। ଦୁଇ ଜଣ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।ଦୁର୍ବୃତ୍ତମାନେ ସାମ୍ବାଦିକଙ୍କ ଗାଡ଼ିକୁ ଭଙ୍ଗାରୁଜା ସହ ସାମ୍ବାଦିକଙ୍କୁ ଅପହରଣ ଉଦ୍ୟମ କରାଯାଇଥିଲା। କିନ୍ତୁ ସାମ୍ବାଦିକମାନେ କଳେ ବଳେ କୌଶଳେ ଦୁର୍ବୃତ୍ତଙ୍କ ଗହଣରୁ ଫେରିଆସିବାରେ ସଫଳ ହୋଇଛନ୍ତି। ଏହି ଘଟଣାକୁ  ନେଇ ଥାନାରେ ମାମଲା ପରେ ପୋଲିସ ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ବାଛୋଳ ପଞ୍ଚାୟତରେ ଉତ୍ତେଜନା ଦେଖାଦେଇଛି।

Leave A Reply

Your email address will not be published.