ରାଜସ୍ଥାନ ରାଜନୀତିରେ ବୟସ ବାଧକ: ଏଥର ଯୁବବର୍ଗଙ୍କୁ ଆଗକୁ ଆଣିବେ କଂଗ୍ରେସ ଓ ବିଜେପି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏଥର ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ପାଇଁ ବେଶ ଚ୍ୟାଲେଞ୍ଜିଙ୍ଗ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ । ଉଭୟ କଂଗ୍ରେସ ଓ ବିଜେପି ରାଜସ୍ଥାନରେ ଆଗାମୀ ନିର୍ବାଚନରେ ଯୁବବର୍ଗଙ୍କୁ ଆଗକୁ ଆଣିବାକୁ ଯୋଜନା କରୁଛନ୍ତି। ଉଭୟ ଦଳ ଏଭଳି ରଣନୀତି ଆପଣାଇବାକୁ ଯାଉଥିବାରୁ ୫୦ ରୁ ୭୦ ବର୍ଷ ବୟସ ନେତାଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି। ଏହାକୁ ଆଖି ଆଗରେ ରଖି ବରିଷ୍ଠ ନେତାମାନେ ତୃଣମୂଳ ସ୍ତରରେ କାମରେ ଲାଗିପଡିଛନ୍ତି। ଲୋକଙ୍କ ସହ ଅଧିକ ମିଶିବା ମଧ୍ୟ ଆରମ୍ଭ କରିଛନ୍ତି। ବିଜେପି ବିଭିନ୍ନ ରାଜ୍ୟର ନିର୍ବାଚନ ଗୁଡିକରେ ବହୁ ନେତାଙ୍କ ଟିକେଟ କାଟୁଥିବା ଦେଖିବାକୁ ମିଳୁଛି। ଏପରିକି ବହୁ ନେତା ଏଥିପାଇଁ ଦଳ ଛାଡିଥିବା ବେଳେ ସେମାନଙ୍କୁ ବୁଝାଯାଇ ନ ଥିଲା। ବିଜେପି ପକ୍ଷରୁ ଦିଲ୍ଲୀ ସ୍ତରରେ ଏ ନେଇ ମାନସମନ୍ଥନ ହେବା ସହ ୭୦ ରୁ ଅଧିକ ବର୍ଷ ବୟସର ନେତାଙ୍କ ଟିକେଟ କାଟିବାକୁ ସ୍ଥିର ହୋଇଥିବା ସୂଚନା ମିଳିଛି। ଆଗାମୀ ଦିନରେ ଲୋକସଭା ନିର୍ବାଚନ ଥିବାରୁ ସମ୍ପୂର୍ଣ୍ଣ ନୂଆ ରଣନୀତି ନେଇ ଦଳ କାମ କରୁଛି। ଏ ନେଇ ନେତାଙ୍କୁ ଆଗୁଆ ଅବଗତ ମଧ୍ୟ କରାଯାଉଛି।

ସେପଟେ କଂଗ୍ରେସ ରାଜ୍ୟରେ ଶାସନରେ ଥିବାରୁ ସତ୍ତା ବଜାୟ ରଖିବାକୁ ସବୁ ଉଦ୍ୟମ କରୁଛି। ଆଗାମୀ ନିର୍ବାଚନରେ କଂଗ୍ରେସ ପକ୍ଷରୁ ଅତି କମରେ ୯୦ ଟି ଟିକେଟ ୫୦ ରୁ କମ ବୟସର ନେତାଙ୍କୁ ଦିଆଯିବ ବୋଲି ହାଇକମାଣ୍ଡଙ୍କ ପକ୍ଷରୁ ଅବଗତ କରାଯାଇଛି। ତେଣୁ ଯେଉଁ ନିର୍ବାଚନ ମଣ୍ଡଳୀରେ ଯୁବ ବର୍ଗଙ୍କୁ ଟିକେଟ ଦିଆଯିବ ସେଠାରେ ସମସ୍ୟା ହେବ ବୋଲି କୁହାଯାଉଛି। ବର୍ତ୍ତମାନ କଂଗ୍ରେସରେ ୭୦ ବର୍ଷରୁ ଅଧିକ ବୟସର ନେତାଙ୍କ ସଂଖ୍ୟା ଅଧିକ। ରାଜସ୍ଥାନରେ ଅଧିକ ଯୁବ ବର୍ଗ ଓ ମହିଳାଙ୍କୁ ଟିକେଟ ଦେବାକୁ ଦଳ ସ୍ଥିର କରିଛି। ତେଣୁ ଏଭଳି ସ୍ଥିତିରେ ବରିଷ୍ଠ ନେତାମାନେ ଚିନ୍ତାରେ ପଡିଥିବା ବେଳେ ଏଭଳି କଲେ ସୃଷ୍ଟି ହେବାକୁ ଥିବା ଅସନ୍ତୋଷକୁ କିଭଳି ମ୍ୟାନେଜ କରାଯିବ ତାକୁ ନେଇ ଦଳଗୁଡିକ ଯୋଜନା ପ୍ରସ୍ତୁତ କରୁଛନ୍ତି। କର୍ଣ୍ଣାଟକରେ ଏଭଳି ଢାଞ୍ଚା ଆପଣାଇବାରୁ ବିଜେପିର ବହୁ ବରିଷ୍ଠ ଓ ପ୍ରଭାବୀ ନେତା ଦଳ ଛାଡିଥିଲେ। ଯାହାର ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ପଡିଥିବା ଦେଖାଯାଇଛି।

Leave A Reply

Your email address will not be published.