ଦିଲ୍ଲୀରେ ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଦିଲ୍ଲୀରେ ଦିନକୁ ଦିନ ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ । ସହରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୫ ଶହ ପାଖେଇଲାଣି । ଅର୍ଥାତ ଦିଲ୍ଲୀ ପବନରେ ଏବେ ଭରି ରହିଛି ବିଷ । ନିଶ୍ବାସ ପ୍ରଶ୍ବାସ ନେବା ଅର୍ଥ ମାଡ଼ି ବସିବ ରୋଗ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏନେଇ ସତର୍କ ମଧ୍ୟ କରିଦେଇଛି । ସୁଇସ୍ ଗ୍ରୁପ୍ ଆଇକ୍ୟୁଏୟାର୍‌ର ତଥ୍ୟ ଅନୁଯାୟୀ, କୋଲକାତା ଓ ମୁମ୍ବାଇ ସମେତ ଭାରତର ରାଜଧାନୀ ଦିଲ୍ଲୀ ଆଜି ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ରହିଛି।

ଆଜି ସକାଳ ସାଢ଼େ ୭ଟା ସୁଦ୍ଧା ଏକ୍ୟୁଆଇ ୪୮୩ ସହ ନୂଆଦିଲ୍ଲୀ ପୁଣି ଥରେ ରିୟଲ ଟାଇମ୍ ପ୍ରଦୂଷଣ ତାଲିକାର ଶୀର୍ଷରେ ଥିବାବେଳେ ଲାହୋର ୩୭୧ ସହ ଦ୍ବିତୀୟ ସ୍ଥାନରେ ରହିଛି।ସ୍ଥିତି ଏଭଳି ଯେ ଧୂଆଁଳିଆ ପାଗ ଯୋଗୁ ଭିଜିବିଲିଟି ମଧ୍ୟ କମିଯାଇଛି । ଲୋକେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ସେପଟେ ପ୍ରଦୂଷଣ ଯୋଗୁ ଦିଲ୍ଲୀରେ ସ୍କୁଲ ବନ୍ଦ ରହିଛି । ଆସନ୍ତା ୧୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି ।

ଦିଲ୍ଲୀରେ ପିଏମ୍ ୨.୫ ନାମରେ ପରିଚିତ ସୂକ୍ଷ୍ମ କଣିକାର ସାନ୍ଦ୍ରତା ପ୍ରତି ଘନ ମିଟର ପିଛା ୫୨୩ ମିଲିଗ୍ରାମ୍ ଥିଲା, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦିତ ମାତ୍ରାଠାରୁ ୧୦୪.୬ ଗୁଣ ଅଧିକ। ମନୁଷ୍ୟ କେଶଠାରୁ ପ୍ରାୟ ୩୦ ଗୁଣ ପତଳା ଏବଂ ଫୁସଫୁସ୍ ମାଧ୍ୟମରେ ରକ୍ତ ବାହିକାରେ ପ୍ରବେଶ କରିପାରୁଥିବା ଏହି କଣିକାଗୁଡ଼ିକର ଦୀର୍ଘକାଳୀନ ସଂସ୍ପର୍ଶରେ ଆସିବା ହୃଦୟ ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା ସୃଷ୍ଟି କରିଥାଏ। ସାମ୍ପ୍ରତିକ ବାୟୁ ପ୍ରଦୂଷଣ ପରିପ୍ରେକ୍ଷୀରେ ଜାତୀୟ ରାଜଧାନୀରେ ଆଜିଠାରୁ ଅନେକ କଠୋର କଟକଣା ଲାଗୁ ହୋଇଛି। ଦିଲ୍ଲୀରେ ଏବେ ମିନି ଲକ୍‌ଡାଉନ୍‌ ଭିତରେ ଜନସାଧାରଣ ପ୍ରଦୂଷଣ ସ୍ଥିତିରେ ସୁଧାର ଆସିବାକୁ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.