ଓଭରବ୍ରିଜରୁ ଖସିଲା ଯାତ୍ରୀବାହୀ ବସ୍

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଭୟଙ୍କର ସଡ଼କ ଦୁର୍ଘଟଣା । ପୋଲ ଉପରୁ ଖସିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ରେଳୱେ ଟ୍ରାକକୁ ବସଟି ଖସିବା ଫଳରେ 4 ଜଣଙ୍କର ମୃତ୍ୟୁ ହୋଇଛି । ରବିବାର ରାତିରେ ରାଜସ୍ଥାନର ଦୌସା ଜିଲ୍ଲା ଅନ୍ତର୍ଗତ ୨୧ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଗୋଟାଏ ବସ୍‌ ଚାଳକଙ୍କ ନିୟନ୍ତ୍ରଣରୁ ବାହାରିଯାଇ ଓଭର୍‌ବ୍ରିଜ୍‌ ଉପରୁ ଖସି ତଳେ ଯାଇଥିବା ରେଳଧାରଣାରେ ପଡ଼ିବାରୁ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୨୪ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଦୁର୍ଘଟଣା ଦୌସା କଲେକ୍ଟୋରେଟ୍‌ ଛକରେ ଘଟିଛି। ଦୁର୍ଘଟଣାଗ୍ରସ୍ତ ବସ୍‌ରେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ। ଦୁର୍ଘଟଣାର ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେତେ ଖୁସିରେ ଗନ୍ତବ୍ୟସ୍ଥଳକୁ ଯାତ୍ରା ଆରମ୍ଭ କରିଥିଲେ ହେଲେ ଦୁର୍ଘଟଣା ସବୁ କିଛି ଛାରଖାର କରିଦେଲା ।

ସୂଚନା ଅନୁସାରେ, ହରିଦ୍ବାରରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିବା ଉକ୍ତ ବସ୍‌ ରାତି ପ୍ରାୟ ୨.୩୦ରେ ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇଥିଲା। ଫଳରେ ଦ୍ରୁତ ଗତିରେ ଚାଲୁଥିବା ଉକ୍ତ ବସ୍‌  ଡିଭାଇଡର୍‌ରେ ବାଜି ଓଭର୍‌ବ୍ରିଜ୍‌ ଧାରରେ ଲାଗିଥିବା ଲୁହା ବାଡ଼ା ଉପରେ ଓଲଟିପଡ଼ିବାରୁ ତାହା ଭାଙ୍ଗିଗଲା। ତା’ପରେ ବସ୍‌ ସିଧା ତଳେ ଯାଇଥିବା ରେଳଧାରଣା ଉପରେ ଖସିପଡ଼ିଲା।

ଦୁର୍ଘଟଣା ସଂକ୍ରାନ୍ତରେ ସୂଚନା ପାଇ କୋତ୍‌ୱାଲି, ସଦର, ‘ଜିଆର୍‌ପି’ ଏବଂ ‘ଆର୍‌ପିଏଫ୍‌’ ସମେତ କେତେକ ଥାନାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌ ଭିତରୁ ମୃତାହତ ଯାତ୍ରୀଙ୍କୁ ବାହାର କରିଥିଲେ। ଆହତମାନଙ୍କୁ ଆମ୍ବୁଲାନ୍‌ସ୍‌ ଯୋଗେ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଥିଲା। ୨ଜଣ ମହିଳାଙ୍କ ସମେତ ସମୁଦାୟ ୪ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତରମାନେ ଘୋଷଣା କରିଛନ୍ତି। ଗୁରୁତର ଆହତ ହୋଇଥିବା ୫ଜଣଙ୍କୁ ଜୟପୁରକୁ ‌‘ରେଫର୍‌’ କରାଯାଇଛି।

Leave A Reply

Your email address will not be published.