ଆସନ୍ତା ଶନିବାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ଶନିବାର ଅର୍ଥାତ 27 ତାରିଖରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ |  ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ସାରା ରାଜ୍ୟରେ ସ୍କୁଲ ଓ କଲେଜ ଛୁଟି ଘୋଷଣା ହୋଇଛି । ଜାନୁଆରୀ ୨୭ ତାରିଖ ଦିନ ରାଜ୍ୟର ସବୁ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଦିନ ଚତୁର୍ଥ ଶନିବାର ଯୋଗୁଁ ସରକାରୀ ଅଫିସ୍ ମଧ୍ୟ ବନ୍ଦ ରହିବ । ସୂଚନା ଅନୁଯାୟୀ,  ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବହୁଚର୍ଚ୍ଚିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ହେବ ।

ଏଥିପାଇଁ ୨୭ ତାରିଖରୁ ୫ ଦିନିଆ ହୋମଯଜ୍ଞ ହେବାକୁ ଥିବା ବେଳେ ସୋମବାର ଏହି ଯଜ୍ଞର ଅଙ୍କୁରାରୋପଣ ହେବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।୨୬ ତାରିଖରେ ଏହି ଯଜ୍ଞ ପାଇଁ ୧୧୦୦ ମହିଳାଙ୍କ ଦ୍ୱାରା ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇ ଅଧିବାସ ହେବ । ପରେ ୨୭ ତାରିଖ ସନ୍ଧ୍ୟାରେ ମହାନଦୀ କୂଳରେ ନିର୍ମିତ ଦୁଇ ବିଶାଳ ମଞ୍ଚରୁ ମହାନଦୀ ଆଳତି ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶା ଏବଂ ଛତିଶଗଡର ୨୧ ଜଣ ପଣ୍ଡିତ ଯୋଗଦେବେ ।

ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ । ଆଗାମୀ ୨୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ କରାଯିବ । ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଛନ୍ତି । ମା’ଙ୍କ ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଛନ୍ତି । ରାଜ୍ୟର ବିଭିନ୍ନ ଦେବାଦେବୀଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ସେହିପରି ମା’ଙ୍କ ସହିତ ଜନସାଧାରଣଙ୍କୁ ଯୋଡିବା ଲାଗି ବ୍ୟବସ୍ଥା କରାଯାଇଛି ।ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାର ପ୍ରତ୍ୟେକ ଲୋକଙ୍କ ପାଖରେ ନଡ଼ିଆ ପହଞ୍ଚାଯାଇଛି ।

ମା’ଙ୍କ ପ୍ରିୟ ସିନ୍ଦୁର ଭକ୍ତଙ୍କ ଠାରୁ ଆଣିବା ଲାଗି ରାଜ୍ୟ ସରକାର ସହଯୋଗ କରିଛନ୍ତି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର ଷୋଡଶ ଶତାଦ୍ଦୀର ଏକ ପ୍ରସିଦ୍ଧ ପୀଠ । ପୀଠର ଉନ୍ନତି ପାଇଁ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ସମଲେଇ ପ୍ରକଳ୍ପ ଆରମ୍ଭ କରିଥିଲେ । ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଭକ୍ତଙ୍କ ପାଇଁ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ମନ୍ଦିର ସହିତ ମହାନଦୀ ଘାଟର ମଧ୍ୟ ଉନ୍ନତିକରଣ କରାଯାଇଛି ।

Leave A Reply

Your email address will not be published.