ଅଦିନିଆ ବର୍ଷା ସହ ଶୀତରେ ଥରୁଛି ସାରା ଓଡିଶା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଦିନିଆ ବର୍ଷାରେ ଭୁଜୁଛି ଓଡିଶା | ବର୍ଷା ସାଙ୍ଗକୁ ସୀତା ଜାରି ରହିଛି ରାଜ୍ୟରେ | ଉତ୍ତର-ପଶ୍ଚିମା ପବନ ସାଙ୍ଗକୁ ଗୁରୁଚାପ ଏବଂ ନିମ୍ନରେଖା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗି ରହିଛି ବର୍ଷା। ଗତକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୨ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ। ରାତିର ସର୍ବନିମ୍ନ ତାପମାତ୍ରାରେ ସେତେଟା ତଫାତ୍‌ ଦେଖିବାକୁ ମିଳି ନ ଥିବା ବେଳେ ଦିନର ତାପମାତ୍ରା ୧୧ ଡିଗ୍ରି ପର୍ଯ୍ୟନ୍ତ ଖସି ଆସିଛି। ୧୧ଟି ପାଣିପାଗ କେନ୍ଦ୍ରରେ ସର୍ବାଧିକ ତାପମାତ୍ରା ୨୦ ଡିଗ୍ରି ତଳକୁ ଖସି ଆସିଛି।

ଏପରିକି ସୋନପୁରରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୧୧.୧ ଡିଗ୍ରି ତଳକୁ ଖସିବା ସହ ୧୮.୮ ଡିଗ୍ରିରେ ପହଞ୍ଚିଥିଲା। କେନ୍ଦୁଝରର ସ୍ବାଭାବିକ ତାପମାତ୍ରା ୧୦.୭ ଡିଗ୍ରି ଖସିବା ସହ ଆଜି ଦିନ ସମୟରେ ଏଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ରହିଥିଲା। ଏହାବ୍ୟତୀତ ରାଉରକେଲାର ସ୍ବାଭାବିକ ତାପମାତ୍ରା ୧୦.୫ ଡିଗ୍ରି ହ୍ରାସ ପାଇ ୧୮.୪ ଡିଗ୍ରିରେ ପହଞ୍ଚିଥିବା ବେଳେ ଭଦ୍ରକରେ ୧୮.୬, ସୁବର୍ଣ୍ଣପୁରରେ ୧୮.୮, ବାଲେଶ୍ବରରେ ୧୯, ସମ୍ବଲପୁରରେ ୧୯.୩, ହୀରାକୁଦ, ଝାରସୁଗୁଡ଼ା ଓ ଢେଙ୍କାନାଳରେ ୧୯.୫, ଅନୁଗୁଳରେ ୧୯.୭, ଯାଜପୁରରେ ୧୯.୮ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବର ସହର ତାପମାତ୍ରା ସ୍ବାଭାବିକଠାରୁ ୮ ଡିଗ୍ରି ହ୍ରାସ ପାଇ ୨୧.୭ ଡିଗ୍ରି ଓ କଟକର ତାପମାତ୍ରା ସ୍ବାଭାବିକଠାରୁ ୮.୩ ଡିଗ୍ରି କମିବା ସହ ୨୦.୮ ଡିଗ୍ରିରେ ପହଞ୍ଚିଛି।

ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ଆକଳନ ଅନୁଯାୟୀ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିଲେ ମଧ୍ୟ ଦିନ ଓ ରାତି ତାପମାତ୍ରା ମଧ୍ୟରେ ତାରତମ୍ୟ କମ୍‌ ରହୁଥିବାରୁ ଥଣ୍ଡା ଅନୁଭୂତ ହେଉଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ କୋହଲା ପାଗ ଲାଗି ରହିବ। ୨୬ ତାରିଖଠାରୁ ପାଗରେ ପରିବର୍ତ୍ତନ ଆସିବ। ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର କନ୍ଧମାଳ, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ବର୍ଷା ହୋଇପାରେ।

ବର୍ଷା ପରେ କିଛି ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଯେଉଁଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍‌ ରହିବ। ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଉପକୂଳ ଜିଲ୍ଲାଗୁଡ଼ିକରେ କୁହୁଡ଼ି ଅନୁଭୂତ ହେବ। ତେଣୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୪ ଘଣ୍ଟା ପରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ।

Leave A Reply

Your email address will not be published.