ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ପୁଣି ଜଣେ ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଆଉ ଏକ ମୂଲ୍ୟବାନ ଜୀବନ ବଂଚାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ସମ୍ବଲପୁର ଜମନକିରା ଅଂଚଳର ରାଙ୍କିବାହାଲା ଗ୍ରାମର ହୃଦାନନ୍ଦ ଷଣ୍ଢ(୫୪ବର୍ଷ) ନାମକ ଜଣେ ବ୍ୟକ୍ତି ଅନେକ ସମୟରୁ କିଡନୀ ରୋଗରେ ପୀଡ଼ିତ ହୋଇ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏହି ସମୟରେ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଏସ.ପି.ଦୋରା ରୋଗୀଙ୍କ ସ୍ତ୍ରୀଙ୍କୁ ତୁରନ୍ତ ଏ ପଜିଟିଭ ବ୍ଲଡ ଗ୍ରୁପ ରକ୍ତ ଯୋଗାଡ଼ କରିବାକୁ କହିଥିଲେ । ନଚେତ ରୋଗୀଙ୍କ ଅବସ୍ଥା ଅଧିକ ଜଟିଳ ହୋଇପଡ଼ିବ ବୋଲି ସେ କହିଥିଲେ । ମାତ୍ର ଦୁର୍ଭାଗ୍ୟର କଥା ଯେ ଡାକ୍ତରଖାନାରେ ଏହି ବ୍ଲଡ ଗ୍ରୁପର ରକ୍ତ ଉପଲବ୍ଧ ନଥିଲା ।
ସୌଭାଗ୍ୟବସତଃ ଏହି ସମୟରେ ଜମନକିରା ରୁ ଏକ ୧୦୮ ଆମ୍ବୁଲାନ୍ସ କୌଣସି ଏକ ରୋଗୀଙ୍କୁ ନେଇ କୁଚିଣ୍ଡା ଡାକ୍ତରଖାନାକୁ ଆସିଥିଲା ଯାହାପରେ ରୋଗୀଙ୍କ ସ୍ତ୍ରୀ ୧୦୮ ଆମ୍ବୁଲାନ୍ସ ହେଲପର୍ ପିଂଟୁ ରାଣାଙ୍କୁ ରକ୍ତ ଦେବା ପାଇଁ ଅନୁରୋଧ କରିଥିଲେ ଏବଂ ତାଙ୍କ ବ୍ଲଡ ଗ୍ରୁପ ମଧ୍ୟ ଏ ପଜିଟିଭ ଥିଲା । ତେଣୁ ପିଂଟୁ ନିଜର ମହାନତା ଦେଖାଇ ତୁରନ୍ତ ରକ୍ତ ଦେବା ପାଇଁ ଆଗେଇ ଆସିଥିଲେ । ଆଜି ତାଙ୍କର ଏହି ମାନବିକତା ପାଇଁ କିଡନୀ ରୋଗରେ ଆକ୍ରାନ୍ତ ଏହି ରୋଗୀ ଜଣଙ୍କ ଏକ ନୂଆ ଜୀବନ ପାଇଛନ୍ତି । ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ଏହି ମହାନ କାର୍ଯ୍ୟ ପାଇଁ ସେ ବେଶ ପ୍ରଶଂସିତ ହୋଇଛନ୍ତି ।