ପୁଣି ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ; ମହିଳାଙ୍କ ମୃତ୍ୟୁ, ବର୍ତ୍ତିଲେ ପୁଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ; ମହିଳାଙ୍କ ମୃତ୍ୟୁ, ବର୍ତ୍ତିଲେ ପୁଲିସ ।  ଜେସିବି ଜାଳିଦେବା ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜଙ୍ଗଲରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଛନ୍ତି। ଟାର୍ଗେଟରେ ପୁଲିସ ରହିଥିଲାବେଳେ ମୃତ୍ୟୁବରଣ କରିଛନ୍ତି ନିରୀହ ମହିଳା। ଗୋଏଲକେରାର ଜଣେ ମହିଳା ଆଜି ସକାଳେ କାଠ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। କାଠ ସଂଗ୍ରହ କରୁଥିବାବେଳେ ଆଇଇଡି ବିସ୍ଫୋରଣରେ ତାଙ୍କର ଘଟଣାସ୍ଥଳରେ ହିଁ ଜୀବନ ଯାଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ଥାନୀୟ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରିଛି। ମିଳିଥିବା ସୂଚନା ମୁତାବକ ଗୋଏଲକେରା ଗାଙ୍ଗି ସୁରିନ୍‌ କୋହ୍ଲାଣ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ମାଟି ରାସ୍ତା ଯାଉଥିବାବେଳେ ମାଓବାଦୀଙ୍କ ଦ୍ବାରା ବିଛାଯାଇଥିବା ଆଇଇଡି ବୋମା ଉପରେ ତାଙ୍କ ପାଦ ପଡିଯାଇଥିଲା। ଆଇଇଡି ବିସ୍ପୋରଣରେ ଗାଙ୍ଗିଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ସୂଚନା ପାଇଁ ପୁଲିସ ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲେ। ବିସ୍ଫୋରଣ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ୨ ମାସ ମଧ୍ୟରେ ମାଓବାଦୀଙ୍କ ବିସ୍ଫୋରଣରେ ୭ ସାଧାରଣ ଲୋକଙ୍କ ଜୀବନ ଯାଇଛି। କିଛି ପୁଲିସକର୍ମୀ ଆହତ ହୋଇଛନ୍ତି। ପୁଲିସ, ସିଆର୍‌ପିଏଫ୍‌ ଯବାନଙ୍କୁ ଟାର୍ଗେଟ କରି ମାଓମାଦୀମାନେ ପଶ୍ଚିମ ସିଂହଭୂମ ଜଙ୍ଗଲରେ ଲ୍ୟାଣ୍ଡମାଇନ୍‌ ଓ ଆଇଇଡି ବୋମା ମାଟିତଳେ ବିଛାଯାଉଛି ।

ସୂଚନାଯୋଗ୍ୟ, ଗତକାଲି ପଶ୍ଚିମ ସିଂହଭୂମ ଜିଲ୍ଲା ଆନନ୍ଦପୁର ତିଲିଙ୍ଗଦିରିରେ ମାଓବାଦୀମାନେ ଜେସିବିକୁ ଜାଳି‌ ଦେଇଥିଲେ। ପ୍ରାୟ ୬ ମାଓବାଦୀ ସଂଘବଦ୍ଧ ଭାବେ ରାସ୍ତା ନିର୍ମାଣ ହେଉଥିବା ସ୍ଥାନରେ ପହଞ୍ଚିଥିଲେ। ସୁପରଭାଇଜର ରାଜକୁମାରଙ୍କୁ ସେଠାରୁ ଚାଲିଯିବାକୁ ଧମକଚମକ ଦେଇଥିଲେ। ଭୟରେ ରାଜକୁମାର ସେଠାରୁ ଚାଲିଯାଇଥିଲେ। ପରେ ମାଓବାଦୀମାନେ ଜେସିବିକୁ ନିଆଁ ଲଗାଇ ଜାଳିଦେଇଥିଲେ। ଏହା ପୂର୍ବରୁ ମାଓବାଦୀମାନେ ସୀମାନ୍ତରେ ପଞ୍ଚାୟତ ଅଫିସକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ। କେବଳ ଏତିକି ନୁହେଁ ରାସ୍ତା କାମରେ ନିୟୋଜିତ କିଛି ଗାଡ଼ିକୁ ଜାଳି ଦେଇଥିଲେ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀମାନେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଭିଆଇବା ଉଭୟ ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କ ଚିନ୍ତା ବଢ଼ାଇଛି। ଛତିଶଗଡ ହିଂସା ପରେ ଗିରଫ ଭୟରେ କିଛି ମାଓବାଦୀ ଝାଡ଼ଖଣ୍ଡ ସରଣ୍ଡା ମୁହାଁ ହୋଇଥିବା ସନ୍ଦେହରେ ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି। ଓଡ଼ିଶାରୁ ଝାଡ଼ଖଣ୍ଡ ଓ ଝାଡ଼ଖଣ୍ଡରୁ ଓଡ଼ିଶାକୁ ଯାତାୟତ କରୁଥିବା ଗାଡିଗୁଡ଼ିକୁ ଯାଞ୍ଚ କରାଯିବା ସନ୍ଦେହ ହେଉଥିବା ଲୋକଙ୍କୁ ପୁଲିସ ପଚରାଉଚୁରା କରୁଛି। କେବଳ ଏତିକି ନୁହେଁ ସରଣ୍ଡା ଜଙ୍ଗଲରେ ଝାଡ଼ଖଣ୍ଡ ସରକାରଙ୍କ ଦ୍ବାରା ୧୫ ଲକ୍ଷ ଟଙ୍କା ଇନାମି ଦୁର୍ଦ୍ଦାନ୍ତ ମାଓନେତା ବିଭୀଷଣ ଓରଫ୍‌ କୁମ୍ବା ମୁର୍ମୁ ଓରଫ୍‌ ମୋଛୁର ଉପସ୍ଥିତି ଦେଖିବାକୁ ମିଳିଛି। ସରଣ୍ଡା ଜଙ୍ଗଲ ଭିତରେ ଥିବା ଲିପୁଙ୍ଗା ଅଞ୍ଚଳରେ ମୋଛୁ ଓ ତା’ର ସହଯୋଗୀଙ୍କୁ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ।

Leave A Reply

Your email address will not be published.