ରତ୍ନଭଣ୍ଡାର ଖୋଲିବା ନେଇ 16ଜଣିଆ କମିଟି ଘୋଷଣା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁରୀ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ ବୟାନ ଜାରି କରିଛନ୍ତି । 6 ତାରିଖରେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।  ରତ୍ନ ଭଣ୍ଡାର ଖୋଲିବାର ତାରିଖ ସହ ମୋଡାଲିଟି ସମ୍ପର୍କରେ ନୂଆ କମିଟି ଆସନ୍ତାକାଲି ଘୋଷଣା କରିିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କେଉଁ ପ୍ରକ୍ରିୟାରେ ଗଣତି ହେବ, କେଉଁ ଏଜେନ୍ସି ଏଥିରେ ସାମିଲ୍ ହେବେ ସେ ନେଇ ନିଷ୍ପତ୍ତି ହେବ।

ଆସନ୍ତାକାଲି କମିଟି ଯାହା ନିର୍ଦ୍ଦେଶ ଦେବ, ସେହି ପ୍ରକ୍ରିୟାରେ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ରତ୍ନଭଣ୍ଡାର ଯାଞ୍ଚ ପାଇଁ ଆଜି ହେବାକୁ ଥିବା ବୈଠକରେ ଯୋଗ ଦେବାକୁ  ଓଡ଼ିଶା ଆସିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରଜିତ୍ ପଶାୟତ । ମାତ୍ର ଏହାପୂର୍ବରୁ ସରକାର ଏହି କମିଟିକୁ ଭଙ୍ଗ କରିଦେଇଛନ୍ତି । ଆଇନ ବିଭାଗ ପକ୍ଷରୁ  ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ଅଳଙ୍କାର ଗଣନାର ତଦାରଖ ପାଇଁ ୨୦୨୪ ମାର୍ଚ୍ଚ ୨ତାରିଖରେ ଗଠିତ ଉଚ୍ଚସ୍ତରୀୟ କମିଟିକୁ ରାଜ୍ୟ ସରକାର ଭାଙ୍ଗି ଦେଇଛନ୍ତି । ଏହି କମିଟି ପରିବର୍ତ୍ତେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହି କମିଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ହେବାକୁ ଥିବା ରତ୍ନଭଣ୍ଡାରର ଗଣନା ଆଦିର ତଦାରଖ କରିବେ ।  ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ଏହି କମିଟି ଗଠନ ହୋଇଛି। ଏହି କମିଟିର ପ୍ରଥମ ବୈଠକ ୬ ତାରିଖରେ ବସିବ। କେଉଁ ଭଳି କାର୍ଯ୍ୟ ଆଗକୁ ଯିବ ମୋଡାଲିଟି ପ୍ରସ୍ତୁତ କରିବେ। କେଉଁ ପ୍ରକ୍ରିୟାରେ ଗଣତି ହେବ, କେଉଁ ଏଜେନ୍ସି ସାମିଲ୍ ହେବେ ସେ ନିଷ୍ପତ୍ତି ମଧ୍ୟ ଏହି କମିଟି ନେବେ। ପ୍ରଥମ ବୈଠକ ୬ ତାରିଖରେ ବସିବା ପରେ ସେମାନେ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Comments are closed.