ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କାକଟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ଦେହାନ୍ତ। 93 ବର୍ଷ ବୟସରେ ସୁରେନ୍ଦ୍ରଙ୍କର ବାର୍ଦ୍ଧକ୍ୟଜନିତ ଦେହାନ୍ତ ହୋଇଛି । ଆଜି ସକାଳୁ ସୁରେନ୍ଦ୍ରଙ୍କ ପରଲୋକ ହୋଇଥିବା ନେଇ ପୁଅ ସ୍ବାଧୀନ କୁମାର ନାୟକ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଘନିଷ୍ଠ ସହଯୋଗୀ ଥିଲେ ସୁରେନ୍ଦ୍ରନାଥ ନାୟକ । କାକଟପୁରରୁ ସେ ୭ ଥର ବିଧାୟକ ହୋଇଥିଲେ।

ତାଙ୍କ ମୃତ୍ୟୁରେ ସବୁଠି ଶୋକ ପ୍ରକାଶ ପାଇଛି । ସୁରେନ୍ଦ୍ରନାଥ ନାୟକଙ୍କ ମୃତଦେହକୁ ଭୁବନେଶ୍ୱରସ୍ଥିତ ଘରୁ ପ୍ରଥମେ ଅଶୋକ ନଗର ନିଆଯିବ । ସେଠାରେ ସେ ନିଜ ରାଜନୈତିକ କାର୍ଯ୍ୟକ୍ରମ କରୁଥିଲେ। ଏହାପରେ ସେଠାରୁ ମରଶରୀରକୁ ବିଧାନସଭା ଓ ପରେ ସଚିବାଳୟ ନିଆଯିବ । ସେଠାରେ ଉପସ୍ଥିତ ଲୋକେ ସୁରେନ୍ଦ୍ରନାଥ ନାୟକଙ୍କ  ଶେଷ ଦର୍ଶନ କରିବେ। ଏହାପରେ ତାଙ୍କ ମରଶରୀରକୁ ପିପିଲି ଦେଇ ନିମାପଡ଼ା, ଗୋପ, କୋଣାର୍କ, କାକଟପୁର, ଅସ୍ତରଙ୍ଗ ନିଆଯିବ । ସେଠାରେ ସମର୍ଥକମାନେ ନିଜ ପ୍ରିୟ ନେତାଙ୍କୁ ଶେଷ ଥର ପାଇଁ ଦେଖିବେ।

ଏହାପରେ ସେଠାରୁ ମୃତଦେହକୁ ନିଜ ପୈତୃକ ଗାଁ ଅଣକଣାକୁ ନେଇ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିବେ ପରିବାର ସଦସ୍ୟ । ୧୯୬୦ ମସିହାରେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ସୁରେନ୍ଦ୍ରନାଥ । ୧୯୭୧ରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୧୯୭୭, ୧୯୮୫, ୧୯୯୦, ୧୯୯୫ ଉପନିର୍ବାଚନ,  ୨୦୦୦ ଓ ୨୦୦୪ ନିର୍ବାଚନରେ ଜିତି ବିଧାନସଭାକୁ ଆସିଥିଲେ । ୧୯୭୭ରୁ ୧୯୮୦ ମସିହା ପର୍ଯ୍ୟନ୍ତ ସେ ବିଧାନସଭାର ଉପବାଚସ୍ପତି ଥିଲେ ।

Leave A Reply

Your email address will not be published.