ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପଶ୍ଚିମବଙ୍ଗ ବିଧାନସଭାରେ ନିଆଗଲା ବଡ଼ ନିଷ୍ପତ୍ତି । ବିଧାନସଭାରେ ପାରିତ ହେଲା ଆଣ୍ଟି-ରେପ୍ ବିଲ । କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବାବେଳେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏଣୁ ମମତା ସରକାର ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।
ଦୁଷ୍କର୍ମ, ଗଣଦୁଷ୍କର୍ମ, ଯୌନ ନିର୍ଯାତନା ଓ ହତ୍ୟା ଭଳି ପାଶବୀୟ ଅପରାଧକୁ ରୋକିବା ପାଇଁ ଆଜି ବେଙ୍ଗଲ ବିଧାନସଭାରେ ପାରିତ ହୋଇଛି ଦୁଷ୍କର୍ମ ବିରୋଧୀ ବିଲ୍, ଯାହାର ନାଁ ‘ଅପରାଜିତା’ ରଖାଯାଇଛି।ବିଧାନସଭାରେ ଏହି ବିଲ୍ ପାରିତ ହେବା ପରେ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେବ। ବିଲ୍ ଆଇନରେ ପରିଣତ ହେଲେ ରାଜ୍ୟରେ ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର 21 ଦିନ ମଧ୍ୟରେ ଶେଷ ହେବ ଏବଂ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବ। ଏହି ଆଇନ ଅନୁସାରେ ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ । ଘଟଣାର ମାତ୍ର ୧୦ଦିନ ମଧ୍ୟରେ ଫାଶୀଦଣ୍ଡ ସୁନିଶ୍ଚିତ କରିବାକୁ ଦିଆଯାଇଥିଲା ପ୍ରସ୍ତାବ ।
ପଶ୍ଚିମବଙ୍ଗ ସରକାର ଅପରାଧିକ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ରଖିଥିବାବେଳେ ରାଜ୍ୟ ଆଇନ ମନ୍ତ୍ରୀ ମଳୟ ଘଟକ ବିଧାନସଭାରେ ଏହାକୁ ଉପସ୍ଥାପନ କରିଥିଲେ ।ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ରୋକିବା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଗତକାଲି (ସୋମବାର)ଠାରୁ ପଶ୍ଚିମବଙ୍ଗ ବିଧାନସଭାରେ ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ ହୋଇଛି । ଏହି ଅଧିବେଶନ ସମୟରେ ଏକ୍ ବିଲ ଉପସ୍ଥାପନ ହେବ ବୋଲି କୁହାଯାଉଥିଲା ।