୫-ଟି ସଚିବଙ୍କ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ବେଳେ ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅପରାଜିତା ଟୁଇଟ୍‌ କରି ଡିଜିପିଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଯଦି ଜଣେ ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କରାଯାଉଛି, ତେବେ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନରଙ୍କ ପାଇଁ କେଉଁ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯିବ କୁହନ୍ତୁ। ଯଦି ଜଣେ ବ୍ୟକ୍ତି ବିକାଶମୂଳକ କାର୍ଯ୍ୟର ତଦାରଖ ପାଇଁ ଯାଉଛନ୍ତି ତେବେ ତାଙ୍କୁ କାହିଁକି ଏତେ ଭୟ ଏବଂ ଅସୁରକ୍ଷିତ ମନେ ହେଉଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଏହାସହ ୫-ଟି ସଚିବଙ୍କ କାର୍ଯ୍ୟକ୍ରମରେ ରହୁଥିବା ପୋଲିସ କର୍ମଚାରୀମାନଙ୍କ ଡ୍ରେସ୍‌ କୋର୍ଡକୁ ନେଇ ମଧ୍ୟ ଅପରାଜିତା ବର୍ଷିଛନ୍ତି।ଏକ ଭିଏଚ୍‌ଏଫ୍‌ ଦ୍ୱାରା ବରଗଡ଼ ଜିଲାର ସଦର ଟାଉନ, ପଦମ୍‌ପୁର, ଅମ୍ବାଭୋନା, ଅତାବିରା ଏବଂ ଭଟ୍‌ଲି ପୋଲିସ ଷ୍ଟେଶନର ଆଇଆଇସିମାନଙ୍କୁ ଏକ ମେସେଜ୍‌ ଜାରି କରାଯାଇଛି।

୫-ଟି ସଚିବ ରବିବାର ସକାଳ ୭ଟାରେ ବରଗଡ଼ ଯାଉଥିବା ସେଥିରେ ଉଲ୍ଲେଖ କରାଯାଇଛି। ଏଥିରେ ଉପସ୍ଥିତ ରହିବା ପାଇଁ ଯେଉଁ ୨୫ ଜଣ ପୋଲିସ କର୍ମଚାରୀଙ୍କ ନାଁ ଦିଆଯାଇଛି ସେମାନଙ୍କୁ ସମୟ ପୂର୍ବରୁ ସେଠାରେ ପହଞ୍ଚିବା ଲାଗି ନିର୍ଦ୍ଦେଶ ଦେବାକୁ ଏହି ୫ ଥାନାର ଆଇଆଇସିମାନଙ୍କୁ କୁହାଯାଇଛି। ଏହାସହ ସେମାନେ ବ୍ଲୁ କିମ୍ବା ବ୍ଲାକ୍‌ ପ୍ୟାଣ୍ଟ ସାଙ୍ଗକୁ ଧଳା ରଙ୍ଗର ଶାର୍ଟ ପିନ୍ଧିବା ପାଇଁ କୁହାଯାଇଛି।

ଏହି ଭିଏଚ୍‌ଏଫ୍‌ ମେସେଜ୍‌କୁ ନେଇ ବିରୋଧୀମାନେ ପୁଣି ସରକାରଙ୍କ ଶାସନ ବ୍ୟବସ୍ଥା ଆଡକୁ ପ୍ରଶ୍ନ ଉଠାଇଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଥିବାବେଳେ ପୁରପଲ୍ଲୀରେ ରହୁଥିବା ଅସହାୟ ଶିକ୍ଷୟିତ୍ରୀମାନଙ୍କୁ ଗୋଲାପୀ ଶାଢ଼ି ପିନ୍ଧିବାକୁ ବାଧ୍ୟ କରିଥିଲେ।ସେହିପରି ପାଣ୍ଡିଆନଙ୍କ ଗସ୍ତକୁ ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଆର୍‌ଟିଓ ବରଗଡ଼ଙ୍କୁ ଗତ ୨୩ ତାରିଖରେ ଏକ ଚିଠି ଜାରି କରାଯାଇଛି।

ରବିବାରରୁ ମଙ୍ଗଳବାର ବରଗଡ଼ରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ନେଇ ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ଆର୍‌ଟିଓଙ୍କୁ ୫-ଟି ସଚିବଙ୍କ କାର୍ଯ୍ୟକ୍ରମସ୍ଥଳୀରେ ୮ଟି ଗାଡ଼ି ପହଞ୍ଚାଇବାକୁ କୁହାଯାଇଛି। ତେବେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମକୁ ନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ୫-ଟି ସଚିବଙ୍କ ବିଭିନ୍ନ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସମ୍ମତିରେ ସେ ଗସ୍ତ କରୁଛନ୍ତି ନା ନାହିଁ ଏନେଇ ତାଙ୍କୁ ପ୍ରଶ୍ନ କରାଯାଇଛି।

ଆର୍‌ଟିଆଇ ତଥ୍ୟରେ ସିଏମ୍‌ଓ ଏଭଳି କିଛି ନିର୍ଦ୍ଦେଶ ଦିଆଯାଇ ନ ଥିବା କୁହାଯାଉଛି। ଯଦି ଏହା ସତ୍ୟ, ତେବେ ଏହା ଏକ ଜଘନ୍ୟ କଥା। କାରଣ ସରକାରଙ୍କ ଜଣେ ସଚିବ ସ୍ତରୀୟ ବ୍ୟକ୍ତି ହେଲିକପ୍ଟରରେ ଯାଉଛନ୍ତି, ତାଙ୍କ ପାଇଁ ପୋଲିସ ବନ୍ଦୋବସ୍ତ ହେଉଛି ଏବଂ ମାଳମାଳ ଗାଡ଼ିର ବ୍ୟବସ୍ଥା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ଯଦି ଏହା ହେଉଛି, ତେବେ ଏହା ତାଙ୍କ କଣ୍ଡକ୍ଟ ରୁଲ୍‌ର ସମ୍ପୂର୍ଣ୍ଣ ଉଲ୍ଲଂଘନ ବିଜୟ କହିଛନ୍ତି।

Leave A Reply

Your email address will not be published.