ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ଆପର ବିରୋଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆମ୍ ଆଦ୍‌ମୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ଆପ ପକ୍ଷରୁ ବିରୋଧ କରାଯାଇଛି। ଏନେଇ ଆମ ଆଦମୀ ପାର୍ଟିର କର୍ମୀ ମାନଙ୍କ ଦ୍ଵାରା ଏକ ଦିବସୀୟ ସାମୁହିକ ଉପବାସରେ ରହି ଧାରଣା ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ଶଙ୍କର୍ଷଣ ମିଶ୍ରଙ୍କ ନେତୃତ୍ୱରେ ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ସକାଳ ୧୦ଘଟିକାରୁ ୪ଘଟିକା ପର୍ଯ୍ଯନ୍ତ ଜିଲ୍ଲାର ଆମ୍ ଆଦିମୀ ପାର୍ଟିର କର୍ମୀ ମାନେ ଉପବାସ ରହି ଧାରଣା ପ୍ରଦାନ କରିଥିଲେ। ଭାରତୀୟ ଜନତା ପାର୍ଟି ହିଁ ପ୍ରକୃତ ଅପରାଧୀ ଏବଂ ଚକ୍ରାନ୍ତ କରି ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରି ଜେଲ ପଠାଇଥିବା ନେଇ ଆପ ପକ୍ଷରୁ କୁହାଯାଇଛି।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡିର ଅଭିଯୋଗ ହେଉଛି ପି ସରଥ ଚନ୍ଦ୍ର ରେଡ୍ଡୀ ନାମକ ମଦ ବେପାରୀ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀରେ ମଦ ଠିକା ପାଇବା ପାଇଁ ୧୦୦କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି। କେବଳ ତାଙ୍କର ବକ୍ତବ୍ୟ ଆଧାରରେ କେଜରିୱାଲଙ୍କୁ ଗିରଫ କରାଯାଇଛି। ମାତ୍ର ସୁପ୍ରିମ କୋର୍ଟର ନିର୍ଦ୍ଦେଶ ପରେ ସାର୍ବଜନୀନ ହୋଇଥିବା ଇଲେକ୍ଟୋରାଲ ବଣ୍ଡ ତଥ୍ୟରୁ ଅତି ସାଙ୍ଘାତିକ କଥା ଜଣାପଡିଛି। ପି ସରଥ ଚନ୍ଦ୍ର ରେଡୀ କେବଳ ଜଣେ ମଦ ବେପାରୀ ନୁହନ୍ତି। ସେ ଅରବିନ୍ଦୋ ଫାର୍ମା ନାମକ ଏକ ବଡ ଔଷଧ କମ୍ପାନୀର ମାଲିକ ଅଟନ୍ତି। ତାଙ୍କର ଅନ୍ୟ କିଛି କମ୍ପାନୀ ମଧ୍ୟ ଅଛି। ସରଥ ଚନ୍ଦ୍ର ରେଡୀଙ୍କୁ ଇଡି ମଦ ଘୋଟଲାର ମୁଖ୍ୟ ପୁରୋଧା କହି ଗିରଫ କଲା। ତାଙ୍କୁ ଜେରା କଲା ବେଳେ ସେ ଅରବିନ୍ଦ କେଜରିୱାଲଙ୍କୁ ଚିହ୍ନି ନାହାନ୍ତି ଏବଂ କୌଣସି ଟଙ୍କା ଦେଇନାହାନ୍ତି ବୋଲି କହିଲେ। ତେଣୁ ଇଡି ତାଙ୍କର ଜାମିନର ବିରୋଧ କଲା ଏବଂ ଲମ୍ବା ସମୟ ଜେଲରେ ରଖିଲା ବୋଲି କହିଛନ୍ତି। ମାତ୍ର ବର୍ତମାନ ଇଲେକ୍ଟୋରାଲ ବଣ୍ଡ ତଥ୍ୟରୁ ଜଣା ପଡିଛି ଯେ ପି ସରଥ ଚନ୍ଦ୍ର ରେଡୀଙ୍କୁ ଇଡି ମାଧ୍ୟମରେ ଭୟଭୀତ କରି ଭାରତୀୟ ଜନତା ପାର୍ଟି ତାଙ୍କର ବିଭିନ୍ନ କମ୍ପାନୀରୁ ପ୍ରାୟ ୫୯.୫ କୋଟି ଟଙ୍କା ଚାନ୍ଦା ନେଇଛି। ସେ ଜେଲରେ ଥିବା ବେଳେ କିଛି ଚାନ୍ଦା ଦେଇଛନ୍ତି। ପରବର୍ତ୍ତୀ ସମୟରେ ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ରାଜି ହେବାରୁ ଇଡି ତାଙ୍କର ବେଲକୁ ବିରୋଧ କରିନଥିଲା ଏବଂ ତାଙ୍କୁ ରାଜସାକ୍ଷୀ କରି ମାମଲାରୁ ମୁକ୍ତି ଦେଇଥିଲା।

ଜେଲରୁ ବାହାରିବା ପରେ ସେ ପୁଣି ଭାରତୀୟ ଜନତା ପାର୍ଟିକୁ ପ୍ରାୟ ୫୦ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଏଥିରୁ ଜଣାପଡୁଛି ଯେ ଚାପ ପ୍ରୟୋଗ କରି, ଡରେଇ ଧମକେଇ ଇଡି ମାଧ୍ୟମରେ ବିଜେପି କେବଳ ଚାନ୍ଦା ଆଦାୟ କରିନାହିଁ, ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ କରିଛି। ତେଣୁକରି ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ପ୍ରତିବାଦ ସହ ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ନିମନ୍ତେ ଆମ୍ ଆଦ୍‌ମୀ ପାର୍ଟି ବିଜେପି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଏକ ଦିବସୀୟ ସାମୁହିକ ଉପବାସ କରିଛନ୍ତି। ଧାରଣାରେ ବ୍ରଜ କିଶୋର ଟୁଡୁ, ମୁଷୁଙ୍ଗି ସୋୟେ, ସୁରେନ୍ଦ୍ର ସିଂ, ମୋହନ ସିଂ, ରାଜୀବ କୁମାର ଥୟାଲ, ଶାନ୍ତନୁ କୁମାର ଦତ୍ତ, ନଟରାଜ ହାତୀ, ଦୁଷ୍ମନ୍ତ ବୈଠା, ରମେଶ ମାରାଣ୍ଡି, ଭାରତୀ ରାୟ, ଲକ୍ଷ୍ମୀ ଧଳ, ମୁଷୁଙ୍ଗି ସିଂ, ପ୍ରମୋଦ ରାଜ, ରାଜନ ଚାପେୟାର, ପ୍ରିୟବ୍ରତ ରାଜ, କମଳଲୋଚନ ନାଏକ, ସୀମାନ୍ତ ଟୁଡୁ, ଚନ୍ଦ୍ରକାନ୍ତ ଭଞ୍ଜ, ସଞ୍ଜୟ ଧଳ, ସପନ ପାଳବାବୁ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.