ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପଞ୍ଚମ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବେ ନାହିଁ। ଶୁକ୍ରବାର ଇଡିରେ ହାଜର ହେବାକୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ନୋଟିସ୍ ଜାରି କରିଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହା ପଞ୍ଚମ ନୋଟିସ୍ । ସୂତ୍ରରୁ ପ୍ରକାଶ ପାଇଛି ଯେ,ଏହି ସମନକୁ ଆପ୍ ମୁଖ୍ୟ ଅଣଦେଖା କରିପାରନ୍ତି । ଇଡିର ଏହି ନୋଟିସ୍ ଅଣ-ଗଣତାନ୍ତ୍ରିକ ବୋଲି କେଜ୍ରିଓ୍ବାଲ କହିଛନ୍ତି ।
ଗତ ଚାରିମାସ ମଧ୍ୟରେ ଏଜେନ୍ସି ଦ୍ବାରା ଜାରି କରାଯାଇଥିବା ଚାରିଟି ଡାକରାକୁ ଏଡ଼ାଇବା ପରେ ବୁଧବାର ଇଡି ଆପ୍ ସୁପ୍ରିମୋଙ୍କୁ ଏକ ନୂତନ ଏବଂ ପଞ୍ଚମ ସମନ ଜାରି କରିଛି। ଏହି ଡାକରା ବେଆଇନ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଏଡ଼େଇ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଗିରଫ କରି ଦିଲ୍ଲୀ ଶାସନ କ୍ଷମତାକୁ ହାତକୁ ନେବାକୁ ଚାହୁଁଛନ୍ତି ବୋଲି ଆପ୍ କହିଛି। ଏକ ବିବୃତ୍ତି ଜାରି କରାଯାଇ ଦଳ ପକ୍ଷରୁ ଏହା କେବେ ଘଟିବାକୁ ଦେବୁ ନାହିଁ ବୋଲି କୁହାଯାଇଛି।
ଏହା ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚତୁର୍ଥ ସମନ ଜାରି କରି ଆଜି ପହଞ୍ଚିବାକୁ କହିଥିଲା। ହେଲେ ଅରବିନ୍ଦ ଅନୁପସ୍ଥିତ ରହିଥିଲେ। ଅରବିନ୍ଦ କେଜ୍ରିୱାଲ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଆଇନ ଅନୁଯାୟୀ ଯାହା କରିବା ଆବଶ୍ୟକ ତାହା ସେ କରିବେ। ତାଙ୍କୁ ଗିରଫ କରିବା ଉଦ୍ଦେଶ୍ୟ ରଖି ଅନୁସନ୍ଧାନକାରୀ ଏଜେନ୍ସି ସମନ ବେଆଇନ ଭାବେ ଜାରି କରିଛି, ଯେଉଁଥିରେ କି ରାଜନୈତିକ ଉଦ୍ଦେଶ୍ୟ ଲୁଚି ରହିଛି।