ସୋରେନଙ୍କୁ ‘ସୁପ୍ରିମ’ ଝଟକା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ସୋ‌ରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହେବା ପରେ ଗୁରୁବାର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ସୋରେନ । ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଗୁରୁବାର ଦିନ ଏହି ଆବେଦନ କରିଥିଲେ । ତେବେ ଏହାର ଶୁଣାଣି ପାଇଁ ମନା କରିବା ସହ ସୋରେନଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ହେମନ୍ତ ସୋରେନଙ୍କ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ୩ ଜଣିଆ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିଥିଲେ । ଏହି ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ଏମଏମ ସୁନ୍ଦରେଶ, ଜଷ୍ଟିସ ବେଲା ଏମ. ତ୍ରିବେଦୀ ଥିଲେ । ଆଜି ଦିନ ସାଢେ ୧୦ଟାରେ ଆବେଦନ ଉପରେ ଶୁଣାଣି ହୋଇଥିଲା । ଗୁରୁବାର ସୋରେନଙ୍କ ଓକିଲ କପିଲ ଶିବଲ ଆବେଦନ ଦାୟର କରି ସର୍ବୋଚ୍ଚ କୋର୍ଟକୁ କହିଥିଲେ ଯେ, ଏହି ମାମଲାରେ ଝାଡଖଣ୍ଡ ହାଇକୋର୍ଟରେ ମଧ୍ୟ ଶୁଣାଣି ଚାଲିଛି । କିନ୍ତୁ ଉକ୍ତ ମାମଲାକୁ ଫେରାଇ ନିଆଯିବ । ଏହାପରେ କୋର୍ଟ ହେମନ୍ତ ସୋରେନଙ୍କ ଆବେଦନକୁ ଆଜି ଶୁଣାଣି ପାଇଁ ତାଲିକାଭୁକ୍ତ କରିଥିଲେ ।

ଜମି ଦୁର୍ନୀତି ମାମଲାରେ ଗତ ସୋମବାର ଦିନ ଇଡି ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଚଢାଉ କରିଥିଲା । ସେଠାରେ ଲକ୍ଷାଧିକ ଟଙ୍କା ସହିତ ଏକ ବିଏମଡବ୍ଲୁ କାର ଜବତ କରିଥିଲା । ଏହାପରେ ଗତ ବୁଧବାର ଇଡି ଅଧିକାରୀମାନେ ସୋରେନଙ୍କୁ ପ୍ରାୟ ୬ ଘଣ୍ଟା କାଳ ମାରାଥନ ଜେରା କରିଥିଲେ । ତାଙ୍କୁ ଗିରଫ କରାଯିବା ସମ୍ପର୍କରେ ସୂଚନା ପାଇଁ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇ ରାଜଭବନରୁ ଫେରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା । ଏହାପରେ ଇଡିର କାର୍ଯ୍ୟାନୁଷ୍ଠାନ ବିରୋଧରେ ସେ ପ୍ରଥମେ ଝାଡ଼ଖଣ୍ଡ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

Leave A Reply

Your email address will not be published.