ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ଗୁରୁଦାୟିତ୍ବ, ଏଲ୍ଆଇସି ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମୟ ବଦଳିବା ସହିତ ବଦଳିବା ସହ ବଦଳୁଛି ଓଡ଼ିଶା ଲୋକଙ୍କ ଭାଗ୍ୟ । ମୁଖ୍ୟତଃ ଦେଶ ସ୍ୱାଧୀନ ହେବା ପରଠୁ ନରେନ୍ଦ୍ର ମୋଦୀଙ୍କ ଶାସନରେ ଦିଲ୍ଲୀରେ ଓଡ଼ିଆଙ୍କ ପତିଆରା ବଢିଛି । କେନ୍ଦ୍ର ସରକାରରେ ଓଡ଼ିଆଙ୍କ ଦବଦବା ବଢ଼ିଛି । ଏହି କ୍ରମରେ  କେନ୍ଦ୍ର ସରକାର ସିଦ୍ଧାର୍ଥ ମହାନ୍ତିଙ୍କୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ଏଲ୍ଆଇସି ଅଧ୍ୟକ୍ଷ ଭାବେ ଜୁନ୍ ୨୦୨୪ ଯାଏ କାର୍ଯ୍ୟ କରିବେ । ଏହାପରେ ସେ ଜୁନ୍ ୨୦୨୫ ଯାଏ ମୁଖ୍ୟ କାର୍ଯ୍ୟନିର୍ବାହୀ ରହିବେ । ସିଦ୍ଧାର୍ଥ ମହାନ୍ତି ୨୦୨୩ ମାର୍ଚ୍ଚରୁ ଏଲ୍ଆଇସର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ଏବେ କେନ୍ଦ୍ର ସରକାର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଇଛନ୍ତି । ଏଲ୍ଆଇସି ହେଉଛି ଦେଶର ସବୁଠୁ ବଡ଼ ବୀମା କମ୍ପାନୀ । ରାଜନୈତିକ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ଲରେ ଡିଗ୍ରୀ ହାସଲ କରିଛନ୍ତି ଶ୍ରୀ ମହାନ୍ତି । ଏହା ଛଡ଼ା ସେ ବିଜିନେସ୍ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର କରିଛନ୍ତି ଇନ୍ସୁରାନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ । ୩ ଦଶନ୍ଧିର ଚାକିରି ଜୀବନ ଭିତରେ ସିଦ୍ଧାର୍ଥ ଅନେକ ଅଭିଜ୍ଞତା ହାସଲ କରିଛନ୍ତି । ଫାଇନାନ୍ସିଆଲ୍ ସର୍ଭିସେସ୍ ଇନଷ୍ଟିଚ୍ୟୁସେନ୍ ବ୍ୟୁରୋ ଏଲ୍ଆଇସି ଅଧ୍ୟକ୍ଷ ପଦ ପାଇଁ ସିଦ୍ଧାର୍ଥଙ୍କ ନାଁକୁ ସୁପାରିସ୍ କରିଥିଲା । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଆପୋଏଟମେଣ୍ଟ କମିଟି ଅଫ୍ କ୍ୟାବିନେଟ୍ ଅନୁମୋଦନ ଦେଇଛି । ଖାଲି ସେତିକି ନୁହେଁ, ମୋଦୀ ସରକାରଂକ ପ୍ରଥମ ପସନ୍ଦ ଓଡିଆ ହିଁ ରହିଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜର ଭରସାଯୋଗ୍ୟ ଅଫିସର ଭାବେ ଓଡ଼ିଆ ଅଫିସରଙ୍କୁ ରଖିଛନ୍ତି। ପ୍ରମୁଖ ବିଭାଗର ପଦବୀ ହେଉ କି ନିଜ ମନ୍ତ୍ରିମଣ୍ଡଳ ଅବା ବିଭିନ୍ନ ରାଜ୍ୟର ରାଜ୍ୟପାଳ ପଦବୀ ମୋଦିଙ୍କ ପ୍ରଥମ ପସନ୍ଦ ଏବେ ଓଡ଼ିଆ । ଆଉ ଏବେ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ଦଳ ଘୋଷଣା କରିଛି।

ଦ୍ରୌପଦୀ ମୁର୍ମୁ ୨୦ ଜୁନ୍ ୧୯୫୮ ରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସେ ରାଇରଙ୍ଗପୁର ଏନଏସିର କାଉନସିଲର ହୋଇଥିଲେ। ଏହାପରେ ୨୦୦୦ ରୁ ୨୦୦୪ ମସିହାରେ ସେ ଓଡ଼ିଶାର ରାଇରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ। ରାଜ୍ୟରେ ବିଜେଡି ଏବଂ ବିଜେପି ମେଣ୍ଟ ସରକାରରେ ସେ ମନ୍ତ୍ରୀ ଥିଲେ। ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ସହ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ମଧ୍ୟ ହୋଇଥିଲେ। ସେ ପ୍ରଥମ ମହିଳା ଯିଏକି ୨୦୧୫ ରେ ଝାଡଖଣ୍ଡର ନବମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଥିଲେ। ସେ ପ୍ରଥମ ମହିଳା ଆଦିବାସୀ ନେତା ଭାବରେ ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ନିର୍ବାଚିତ ହେବା ପରେ ଦ୍ରୈାପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ। ଏହା ବ୍ୟତୀତ ସେ ଓଡିଶାର ଦ୍ୱିତୀୟ ରାଷ୍ଟ୍ରପତି ମଧ୍ୟ ହେବେ। ପୂର୍ବରୁ ଭିଭି ଗିରି ମଧ୍ୟ ଓଡ଼ିଶାର ରାଷ୍ଟ୍ରପତି ହୋଇଥିଲେ।

ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ପରେ ଝାଡ଼ଖଣ୍ଡ ରାଜ୍ୟପାଳ କରିଛନ୍ତି ମୋଦୀ ସରକାର। ରାଜ୍ୟପାଳ ପୂର୍ବରୁ ବିଶ୍ୱଭୂଷଣ ସକ୍ରିୟ ରାଜନୀତିରେ ଥିଲେ। ବିଜେପି ପାଇଁ କାମ କରୁଥିଲେ। ନବୀନ ପଟ୍ଟନାୟକଙ୍କ ମେଣ୍ଟ ସରକାରରେ ବିଶ୍ୱ ଭୂଷଣ ମନ୍ତ୍ରୀ ଥିଲେ। ଓଡ଼ିଶାର ମୟୂରଭଞ୍ଜରେ ଜନ୍ମିତ ୧୯୮୫ ମସିହା ଗୁଜରାଟ କ୍ୟାଡରର ଆଇଏଏସ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ। ପ୍ରଥମ ଓଡ଼ିଆ ଭାବେ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ବା ସିଏଜି ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଗିରିଶ ମୁଖ୍ୟ ଶାସନ ସଚିବ ଥିଲେ। ମୋଦୀଙ୍କର ସବୁଠୁ ବିଶ୍ୱସ୍ତ ଅଫିସର ହେଉଛନ୍ତି ସମ୍ୱଲପୁରର ପିକେ ମିଶ୍ର। ୧୯୭୨ ମସିହା ଗୁଜରାଟ କ୍ୟାଡରର ସେ ଆଇଏଏସ ଅଫିସର। ଏବେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ। ମୋଦୀଙ୍କ ପ୍ରଥମ ସରକାରରେ ସେ ଅତିରିକ୍ତ ସଚିବ ଭାବରେ ଦାୟିତ୍ୱ ତୁଲାଉଥିଲେ ୨୦୧୯ ସେପ୍ଟେମ୍ୱରରୁ ସେ ପ୍ରମୁଖ ସଚିବ ଭାବରେ ଦାୟିତ୍ୱ ତୁଲାଉଛନ୍ତି। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ପିକେ ମିଶ୍ରଙ୍କ ସହ କାମ କରିଥିଲେ ମୋଦୀ।

ଆରବିଆଇର ୨୫ ତମ ଗଭର୍ଣ୍ଣର ପଦରେ ରହିଛନ୍ତି ଶକ୍ତିକାନ୍ତ ଦାସ। ପ୍ରଥମ ଓଡ଼ିଆ ଭାବରେ ସେ ଏହି ପଦରେ ବସିଛନ୍ତି। ୧୯୮୦ ମସିହା ତାମିଲନାଡୁ କ୍ୟାଡରର ଏହି ଓଡ଼ିଆ ଆଇଏଏସ ଅଫିସର ୨୦୧୭ ମେ ୨୮ରେ ସେବାନିବୃତ୍ତ ହୋଇଥିଲେ। ଆଠଗଡ଼ ହେଉଛି ଶକ୍ତିକାନ୍ତଙ୍କ ମୂଳ ଘର। ୨୦୧୬ରେ ନୋଟବନ୍ଦୀ ଏବଂ ୨୦୧୭ରେ ଜିଏସଟି ଲାଗୁ କରିବାରେ ଶକ୍ତିକାନ୍ତ ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବରିଷ୍ଠ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନ ଏନସିବି ଡ଼ିଜି ରହିଛନ୍ତି। ଏହାପୂର୍ବରୁ ସେ ସରକାରଙ୍କ ଆଉ ଏକ ପ୍ରମୁଖ ବିଭାଗ ଜାତୀୟ ଦୁର୍ବିପାକ ପ୍ରଶମନ ବଳ (ଏନଡିଆରଏଫ)ର ଡିଜି ଭାବରେ ଦାୟିତ୍ୱ ତୁଲାଇଥିଲେ । ୧୯୮୮ ବ୍ୟାଚ ଝାଡଖଣ୍ଡ କ୍ୟାଡରର ଆଇପିଏସ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ। ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ବିକାଶ ମନ୍ତ୍ରଣାଳୟର ଉତ୍ତର-ପୂର୍ବାଞ୍ଚଳ ବିଭାଗ ବା ଡିଓଏନଇଆରରେ ଯୁଗ୍ମ ସଚିବ ଥିଲେ।

ଦେଶର ପାଣିପାଗ ବିଭାଗର ମୁଖ୍ୟ ପଦବୀରେ ରହିଛନ୍ତି ଭଦ୍ରକ ଚାନ୍ଦବାଲିର ଡକ୍ଚର ମୃତ୍ୟୁଞ୍ଜୟ ମହାପାତ୍ର। ‘ସାଇକ୍ଲୋନ ମ୍ୟାନ ଅଫ୍ ଇଣ୍ଡିଆ’ ଭାବେ ପରିଚିତ ମୃତ୍ୟୁଞ୍ଜୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ପଦବୀରେ ରହିଛନ୍ତି। ସେହିପରି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ତଳେ ରହିଛନ୍ତି ଆର କେ ଚିନ୍ତାମଣି ଜେନା । ଭାରତୀୟ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଭାବେ ଏହି ଓଡ଼ିଆ ଅଧିକାରୀ କାର୍ଯ୍ୟରତ ରହିଛନ୍ତି। ସେହିପରି ନରେନ୍ଦ୍ର ମୋଦୀ ଶାସନରେ କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଓଡିଶାର ରାଜ୍ୟସଭାରୁ ସାଂସଦ ହୋଇଥିବା ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ ରହିଛନ୍ତି । ପୂର୍ବରୁ ସେ ଓଡ଼ିଶାରେ ଆଇଏଏସ ଥିଲେ। ଏହାବାଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରରେ ଏମଏସଏମଇ ଓ ମତ୍ସ୍ୟ ସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏବଂ ଜୁଏଲ ଓରାମ ଆଦିବାସୀ କଲ୍ୟାଣର କ୍ୟାବିନେଟ ମନ୍ତ୍ରୀ ଥିଲେ।

Leave A Reply

Your email address will not be published.