ମଝି ସମୁଦ୍ରରେ ବନ ବିଭାଗର ପାଟ୍ରୋଲିଂ ଟିମକୁ ଆକ୍ରମଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମଝି ସମୁଦ୍ରରେ ବନ ବିଭାଗର ପାଟ୍ରୋଲିଂ ଟିମକୁ ଆକ୍ରମଣ । କେନ୍ଦ୍ରାପଡ଼ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ରାଜ କରୁଛନ୍ତି ଜଳଦସ୍ୟୁ। ବନ୍ଧୁକ ଦେଖାଇ ବନ କର୍ମଚାରୀଙ୍କୁ ଘେରିଲେ ଟ୍ରଲର ମାଫିଆ । ଗତକାଲି (ସୋମବାର ) ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଟିମ ପାଟ୍ରୋଲିଂ କରିବା ବେଳେ ଏହି ଆକ୍ରମଣ ହୋଇଛି । ଏପରି ଏକ ଲୋମଟାଙ୍କୁରା ଘଟଣା ଗତକାଲି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଥଳ ଜଳରାଶିରେ ଘଟିଛି |

ତେବେ ସୂଚନା ମୁତାବକ, ଗତକାଲି ପ୍ରାୟ ୧୭ଟି ଟ୍ରଲରରେ ଜଳ ଦସ୍ୟୁମାନେ ହୁକିଟୋଲା ଫ୍ରଣ୍ଟ ନିଷିଦ୍ଧାଞ୍ଚଳକୁ ଯାଇ ବେଆଇନ ଭାବେ ମାଛ ମାରୁଥିଲେ। ଏହାଦେଖି ସମୁଦ୍ର ମଝିରେ ପାଟ୍ରୋଲିଂ କରୁଥିବା ୧୧ ଜଣିଆ ଟିମ୍‌ ଏକ ଟ୍ରଲରରେ ସେଠାରେ ପହଞ୍ଚିଥିଲେ। ବନ କର୍ମଚାରୀ ଜଳଦସ୍ୟୁଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ଜଳଦସ୍ୟୁମାନେ ଆକ୍ରାତ୍ମକ ହୋଇ ଉଠିଲେ। ୧୭ଟି ଟ୍ରଲରର ଚକ୍ରବ୍ୟୁହ ଭିତରେ ଫସିଗଲା ବନ କର୍ମଚାରୀଙ୍କ ଟ୍ରଲର। ଏହାପରେ ଜଳଦସ୍ୟୁମାନେ ସେମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ବେଳେ ବନ କର୍ମଚାରୀମାନେ ଫାଙ୍କା ଗୁଳି ଚାଳନା କରି ଜୀବନ ବିକଳରେ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିଲେ।

ଅଲିଭ ରିଡ଼ଲେ କଇଁଛମାନଙ୍କ ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ ଅଧିନ ଗହୀରମଥାର ନୀଳ ଜଳରାଶି ପୂର୍ବରୁ ଅନେକ ଥର ରକ୍ତ ରଞ୍ଜିତ ହୋଇଥିବା ଦେଖାଯାଇଛି । ଏଥିରେ ଶହୀଦ ହୋଇଛନ୍ତି ବନ କର୍ମଚାରୀ ଓ ଜଳଦସ୍ୟୁ ମଧ୍ୟ ନିହତ ହୋଇଛନ୍ତି । ବର୍ତ୍ତମାନ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ ସମୁଦ୍ର କୂଳରେ ଗୋଟି ଗୋଟି ଅଣ୍ଡାଦାନ ଆରମ୍ଭ କରିଥିବା ବେଳେ ଆଉ ମାତ୍ର କିଛି ଦିନ ପରେ ସାମୂହିକ ଅଣ୍ଡାଦେବା ପାଇଁ ରୁଣ୍ଡ ହେବାର ସମ୍ଭାବନା ଅଛି । ଏହି ଆକ୍ରମଣ ଘଟଣା ପରେ ବନ ବିଭାଗ ପକ୍ଷରୁ ଟ୍ରଲର ମାଫିଆଙ୍କ ନାଁରେ ଧାମରା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ୨୦୨୨ରେ ଧାମରା ଅଞ୍ଚଳର ଏକ ଟ୍ରଲର ପାଟ୍ରୋଲିଂ ଟିମ୍‌କୁ ଆକ୍ରମଣ ହୋଇଥିଲା । ୧୫ ବର୍ଷ ତଳେ ମାଫିଆଙ୍କ ଆକ୍ରମଣରେ ବନ ବିଭାଗ କର୍ମଚାରୀଙ୍କ ଜୀବନ ବି ଯାଇଛି । ତେବେ ମାସକ ଭିତରେ ୩ ଥର ଆକ୍ରମଣ ଉଦ୍ୟମକୁ ନେଇ ବନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି ।

Leave A Reply

Your email address will not be published.