ଟ୍ୱିନ ସିଟି ସହ ଅଧିକାଂଶ ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟରେ ଟ୍ୱିନ ସିଟି ସହ ଅଧିକାଂଶ ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ହେଉଛି। ଆଜି ଓ ଆସନ୍ତାକାଲି କାଳବୈଶାଖୀ ସମ୍ଭାବନା ଥିବା ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଳବୈଶାଖୀ ନେଇ ୧୨ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।

ସେହିପରି  ୨୦ ତାରିଖ ବେଳକୁ ଦକ୍ଷିଣ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଚ ୱାର୍ଣ୍ଣିଂ ଦିଆଯାଇଛି। ବିଜୁଳି ଘଡ଼ଘଡ଼ି ଅତ୍ୟନ୍ତ ବିପଜ୍ଜନକ ଓ ବିପର୍ଯ୍ୟୟ ସୃଷ୍ଟିକାରୀ ହୋଇଥିବାରୁ ନିରାପଦ ସ୍ଥାନରେ ରହିବା ଅତ୍ୟନ୍ତ ଜରୁରୀ। ୨୧ ତାରିଖ ବେଳକୁ ବର୍ଷା ପରିମାଣ ଧୀରେ ଧୀରେ କମିବ ଏବଂ ୨୨ ତାରିଖ ବେଳକୁ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଗାମୀ ୩ ଦିନ ମଧ୍ୟରେ ଦିନର ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି।

ତେବେ ଶୁକ୍ରବାରଠାରୁ ତାପମାତ୍ରା ପୁଣିଥରେ ବଢ଼ିବା ସହ ୨୪ ତାରିଖରେ କେତେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରିରୁ ଅଧିକ ହୋଇପାରେ। ପଶ୍ଚିମା ଶୁଷ୍କ ପବନ ସହ ଆଣ୍ଟି-ସାଇକ୍ଲୋନିକ୍‌ ସର୍କ୍ୟୁଲେସନ ହେତୁ ଦକ୍ଷିଣରୁ ଆନ୍ଧ୍ର ଦେଇ ବଙ୍ଗୋପସାଗରୀୟ ଆର୍ଦ୍ର ପବନ ରହିବା ହେତୁ ଉପର ବାୟୁମଣ୍ଡଳରେ ଅସ୍ଥିରତା ସୃଷ୍ଟି ହେଉଛି ଏବଂ ଏହାଦ୍ବାରା କାଳବୈଶାଖୀ ବର୍ଷା ହେବ। ୧୮ରୁ ୨୦ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ, ୧୯ ଓ ୨୦ରେ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶା ଏବଂ ୧୯ରୁ ୨୧ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଯଥା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.