ଅଯୋଧ୍ୟା ରାମ ମନ୍ଦିରରେ ଅସମ୍ଭାଳ ଭିଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୋମବାର ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପରେ ଏବେ ସେଠାରେ ପ୍ରବଳ ଲୋକଭିଡ଼ ଦେଖିବାକୁ ମିଳୁଛି। ସୋମବାର ଦିନ ଅଯୋଧ୍ୟାରେ ଏକ ବିରାଟ ଜନସମାଗମ ଦେଖିବାକୁ ମିଳିଥିଲା।

ଆଉ ଆଜି ରାମଲାଲାଙ୍କୁ ଆଖି ପୂରେଇ ଟିକେ ଦେଖିବାକୁ ରାତିଅଧରୁ ରାମ ଦୁଆର ପାଲଟିଥିଲା ଭକ୍ତସମୁଦ୍ର । ଭୋରରୁ ମଙ୍ଗଳ ଆଳତୀ ସରିବା ପରେ ୭ଟା ବେଳକୁ ମୁଖ୍ୟ ଦ୍ୱାର ଖୋଲିବା ପରେ ଯେମିତି ପାଗଳ ପ୍ରାୟ ହୋଇ ଯାଇଥିଲେ ଭକ୍ତ । ଜଣେ ଜଣେ ଭକ୍ତଙ୍କୁ ଗର୍ଭଗୃହରେ ଦିବ୍ୟ ଚକ୍ଷୁ ସହ ଚର୍ମ ଚକ୍ଷୁର ମିଳନ ପାଇଁ ମିଳୁଥିଲା ମାତ୍ର ୧୫ରୁ ୨୦ ସେକେଣ୍ଡ । ସେତିକିରେ ନିଜ ପ୍ରାଣ ପ୍ରିୟଙ୍କୁ ଦୁର୍ଲଭ ଦର୍ଶନ ଲଭି ଯେମିତି ଜୀବନ ଧନ୍ୟ ହୋଇଯାଇଥିଲା ଭକ୍ତ । ଆଜି ମଧ୍ୟ ଅଯୋଧ୍ୟା ରାମ ମନ୍ଦିର ଆଗରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ ।

ବିଳମ୍ବିତ ରାତିରୁ ରାମ ପଥରେ ଧାଡ଼ିରେ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ବାଳକ ରାମଙ୍କ ଦର୍ଶନ ପାଇଁ ସମସ୍ତେ ଆତୁର । ଦୂର ଦୂରାନ୍ତରୁ ଆସିଛନ୍ତି ବହୁ ରାମଭକ୍ତ । ଶୀତକୁ ଖାତିର ନକରି ସେମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ତେବେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କୁ ୨ ସପ୍ତାହ ପରେ ମନ୍ଦିର ଆସିବାକୁ ନିବେଦନ କରିଛନ୍ତି ଅଯୋଧ୍ୟା ରେଞ୍ଜ ଆଇଜି ।

ଭକ୍ତଙ୍କ ସୁବିଧା ପାଇଁ ପ୍ରାୟ ୮ ହଜାରରୁ ଅଧିକ ସୁରକ୍ଷାକର୍ମୀ ଅଯୋଧ୍ୟାରେ ମୁତୟନ ହୋଇଛନ୍ତି । କଡ଼ା ନଜରରେ ରହିଛି ଅଯୋଧ୍ୟା ରାମ ମନ୍ଦିର । ମନ୍ଦିର ଗର୍ଭଗୃହରେ ଆଇନ ଶୃଙ୍ଖଳା ଡିଜି ମନିଟରିଂ କରୁଛନ୍ତି । ଗତକାଲି ପ୍ରାୟ ୫ ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିଛନ୍ତି ବୋଲି ସୂଚନା ମିଳିଛି ।

ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦେବା ସହ ସମସ୍ତଙ୍କର ନିରବଚ୍ଛିନ୍ନ ତୀର୍ଥଯାତ୍ରାର ଗ୍ୟାରେଣ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି । ଥଣ୍ତାଦିନରେ ମଧ୍ୟ ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କର ଭିଡ଼ ଦେଖିବାକୁ ମିଳିଛି ।

Leave A Reply

Your email address will not be published.