ବାହାନଗା ଟ୍ରେନ୍‌ ଟ୍ରାଜେଡି: ଦକ୍ଷିଣପୂର୍ବ ରେଳବାଇ ଏଜିଏମ୍ ଅତୁଲ୍ୟ ସିହ୍ନାଙ୍କ ବଦଳି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାହାନଗା ଟ୍ରେନ୍‌ ଟ୍ରାଜେଡିରେ ଗୁରୁବାର ଦକ୍ଷିଣପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର(ଏଜିଏମ) ଅତୁଲ୍ୟ ସିହ୍ନାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ପ୍ରାୟ ଦୁଇ ସପ୍ତାହ ପରେ ରେଳବାଇ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତ ଜାରି ରହିଥିବା ବେଳେ ବାହାନଗା ଷ୍ଟେସନ ବଜାରର ଷ୍ଟେସନ ମାଷ୍ଟର ସମେତ ୧୨ ଜଣ ସ୍କାନରରେ ରହିଛନ୍ତି। ହେଲେ ଏପର୍ଯ୍ୟନ୍ତ କାହାକୁ ବି ଗିରଫ କରାଯାଇ ନାହିଁ। କୋଲକାତାସ୍ଥିତ ଦକ୍ଷିଣ ପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର ଅତୁଲ୍ୟ ସିହ୍ନାଙ୍କୁ ପଦରୁ ହଟାଇବା ପରେ ତାଙ୍କୁ ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାରେ ଥିବା ଚିତ୍ତରଞ୍ଜନ ଲୋକୋମୋଟିଭ ୱାକର୍ସ ଫ୍ୟାକ୍ଟ୍ରି ପ୍ରିନ୍ସିପାଲ ଚିଫ୍ ମେକାନିକାଲ ଇଞ୍ଜିନିୟର ଭାବେ ନିଯୁକ୍ତ କରିଯାଇଛି। ଏହି ପଦବୀ ଉଚ୍ଚ ପ୍ରଶାସନିକ ଗ୍ରେଡ୍ (ଏଚଏଜି)ରାଙ୍କରେ ହୋଇଥିଲେ ମଧ୍ୟ ତାହା କମ୍ ଗୁରୁତ୍ୱବହନ କରୁଥିବା ପଦବୀ ଭାବେ ବିବେଚିତ ହୋଇଥାଏ।

ଟ୍ରେନ୍‌ ଦୁର୍ଘଟଣାର ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ ବୋଲି ଚର୍ଚ୍ଚା ହେଉଛି। ତେବେ ରେଳବାଇ ପକ୍ଷରୁ ତାଙ୍କର ବଦଳି ସମ୍ପର୍କରେ କୌଣସି କାରଣ ଦର୍ଶାଯାଇନି,କିନ୍ତୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଶ୍ରୀ ସିହ୍ନାଙ୍କ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଛି ବୋଲି ସୂଚନା ମିଳିଛି। ସୂଚନା ଥାଉକି ଦୁର୍ଘଟଣାରେ ଏବେବି ୮୧ ଜଣ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇନାହିଁ। ଭୁବନେଶ୍ୱରସ୍ଥିତ ଏମ୍ସ ଏହି ମୃତଦେହ ରଖାଯାଇଛି। ୮୧ ମଧ୍ୟରୁ ୭୫ ଜଣଙ୍କର ଦାବିଦାର ଚିହ୍ନଟ ହୋଇଥିଲେ ବି ତାଙ୍କ ପ୍ରିୟଜନଙ୍କ ଡିଏନଏ ନମୂନା ସଂଗ୍ରହ କରାଯାଇ ଦିଲ୍ଲୀ ପଠାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.