ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ବାହୁଡା ଯାତ୍ରା। ପରମ୍ପରା ଅନୁସାରେ ଗତକାଲି ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଆଗରେ ପହଞ୍ଚି ସାରିଥିବା ବେଳେ ଅଧାବାଟ ଟାଉନ ଥାନା ଆଗରେ ଅଟକି ରହିଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ଆଜି ଦିନ ପ୍ରାୟ ୨ଟା ୩୦ ରେ ଆରମ୍ଭ ହୋଇଥିଲା ବାହୁଡା ପାଇଁ ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ରଥ ଟଣା କାର୍ଯ୍ୟକ୍ରମ।
ପ୍ରଥମେ ଅଧାବାଟରେ ଅଟକି ରହିଥିବା ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣି ନେଇ ଶ୍ରୀମନ୍ଦିର ଆଗରେ ପହଞ୍ଚାଇଥିଲେ। ପରେ ପରେ ଆରମ୍ଭ ହୋଇଥିଲା ବଡଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା। ପ୍ରାୟ ସାଢେ ୫ଟା ସମୟରେ ଶେଷ ହୋଇଥିଲା ରଥ ଟଣା କାର୍ଯ୍ୟକ୍ରମ। ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡା ପରେ ବି ରଥ ଉପରୁ ଅଗଣିତ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ବିତରଣ ହୋଇଥିଲା ଶ୍ରଦ୍ଧାଲଡୁ। ତେବେ ଶ୍ରୀଗୁଣ୍ଡିଚା ଦିନ ଶେଷରେ ନନ୍ଦିଘୋଷ ରଥ ମାଉସୀ ଘରକୁ ପହଂଚିଥାଏ। ତେଣୁ ନନ୍ଦିଘୋଷରୁ ଶଦ୍ଧାଲଡୁ ବଂଟନ ହୁଏ। କିନ୍ତୁ ବାହୁଡା ଯାତ୍ରାରେ ଶ୍ରୀମନ୍ଦିର ପାଖରେ ଶେଷରେ ପହଂଚିଥାନ୍ତି ବଳଭଦ୍ରଙ୍କ ତାଳଧ୍ବଜ ରଥ।
ତେଣୁ ବାହୁଡାରେ ବଳଭଦ୍ରଙ୍କ ରଥ ଉପରୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଲଡୁ ବଂଟନ ହୋଇଥାଏ। ଶ୍ରଦ୍ଧାଲଡୁ ଟିକେ ପାଇବା ପାଇଁ ଭକ୍ତଙ୍କ ଭିତରେ ଦେଖା ଦେଇଥାଏ ପ୍ରବଳ ଉତ୍ସାହ। ସତେ ଯେମିତି ଏ ଲଡୁ ପାଇବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିତରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଶ୍ରୀଗୁଣ୍ଡିଚା ଯାତ୍ରାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ସମସ୍ତ ପ୍ରକାର କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳର୍ ସହ ସମାପନ କରାଇଥିବାରୁ, ସମସ୍ତ ବିଭାଗୀୟ ଅଧିକାରୀ, ମନ୍ଦିର ପୂଜକ, ସେବାୟତ, ତଥା ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ।