ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଖେଇ ଆସୁଛି ବଲାଙ୍ଗୀର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ସବୁ ଯାତ୍ରା କମିଟିର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶାନ୍ତି ଶୃଙ୍ଖଳାରେ ଏହାକୁ ପାଲନ ପାଇଁ ବଲାଙ୍ଗୀର ପୋଲିସ ଓ ପ୍ରଶାସନର ମଧ୍ୟ ପ୍ରସ୍ତୁତି ସରିଛି। ଶିବ-ପାର୍ବତୀ ବିବାହ ପୂର୍ବରୁ ଗତକାଲି ରାତିରେ ସମ୍ପନ୍ନ ହୋଇଛି ଦେବ ନିର୍ବନ୍ଧ କାର୍ଯ୍ୟ ପତରପେଣ୍ଡି।
ପରମ୍ପରା ଅନୁସାରେ ନନ୍ଦପଡ଼ାର ବାଲୁଙ୍କେଶ୍ଵର ବାବାଙ୍କର ମନ୍ଦିରରୁ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ବାହାରିଥିଲା। ବିରାଟ ରୋଷଣୀରେ ବାଜା, ବାଣ ଓ ଲୋକ ନୃତ୍ୟ ସହ ସପ୍ତ ଋଷି ପଣ୍ଡିତ ମଣ୍ଡଳୀଙ୍କ ସହ ବର ପିତା କନ୍ୟା ଅନ୍ୱେଷଣରେ ବାହାରିଥିଲେ। ଶେଷରେ ଦେବୀ ପାର୍ବତୀଙ୍କ ପିତାଙ୍କ ଘରେ ପହଞ୍ଚିଥିଲେ। ବିଧି ଅନୁସାରେ ସେଠାରେ ପହଞ୍ଚି ବରପକ୍ଷ ଦେବୀ ପାର୍ବତୀଙ୍କ ସମ୍ପର୍କରେ ଜିଜ୍ଞାସା କରିବା ସହ ମହାଦେବଙ୍କ ଗୁଣ କୀର୍ତ୍ତନ ପୂର୍ବକ ଦେବୀ ପାର୍ବତୀଙ୍କ ସହ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଶେଷରେ ଉଭୟ ପକ୍ଷ ବିବାହ ପାଇଁ ସହମତ ହେବା ପରେ, ସର୍ଗି ପତ୍ର ବିଡା ଦେଇ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି ।
ଆଜି ହେବ ଦେବ ନିମନ୍ତ୍ରଣ। ଆସନ୍ତା 10 ତାରିଖରେ ଦେବ ଦମ୍ପତିଙ୍କ ପଡ଼ିବ ହାତ ଗଣ୍ଠି। ସମ୍ପନ୍ନ ହେବ ଶିବ ପାର୍ବତୀଙ୍କ ଶୁଭ ବିବାହ। ସେହିପରି 11 ତାରିଖରେ ଯୁଗଳ ମୂର୍ତ୍ତୀ ସହର ପରିକ୍ରମା କରିବା ସହ ଦେବ ଦମ୍ପତି ଘର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଯେଉଁଥିରେ ସବୁ କମିଟି ମାନେ ନୀତି ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବେ। ସେହିପରି ଶୀତଳ ଷଷ୍ଠୀ ଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାର ନାଚ ଗୀତ ପ୍ରଦର୍ଶନ ହେବ।