ବନ୍ଦେ ଭାରତ ଏକ୍ସପ୍ରେସରେ ବଡ ପରିବର୍ତ୍ତନ, ଏଣିକି ନୂଆ ରଙ୍ଗରେ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍

0

ଓଡିଆ ନ୍ୟୁଜ୍ (ବ୍ୟୁରୋ): ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ବଡ ପରିବର୍ତ୍ତନ ହୋଇଛି। ଏଥିରେ ରଙ୍ଗ ସହ ୨୫ ପ୍ରକାର ପରିବର୍ତ୍ତନ କରାଯାଇ ଶନିବାର ଟ୍ରାଏଲ ଟ୍ରାକ୍‌ରେ ପରୀକ୍ଷଣ କରାଯାଇଛି। ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରିରୁ ଏକ ନାରଙ୍ଗୀ ଓ ଧଳା ରଙ୍ଗର ବନ୍ଦେ ଭାରତ ଏକ୍ସପ୍ରସ୍‌ର ସଫଳ ପରୀକ୍ଷଣ ହୋଇଛି।

ଆଗାମୀ ଦିନରେ ନୂଆ ରଙ୍ଗର ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ବୋଲି ରବିବାର ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଅତ୍ୟାଧୁନିକ ସେବା ଯୋଗାଇ ଦେବା ପାଇଁ ୨୦୧୯ରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରିଥିଲା। ରେଳ ଯାତ୍ରୀଙ୍କ ଚାହିଦା ଅନୁଯାୟୀ, ବର୍ତ୍ତମାନ ଦେଶର ୨୫ଟି ରୁଟ୍‌ରେ ୫୦ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚାଲୁଛି। ତେବେ ପୂର୍ବରୁ ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ରଙ୍ଗ ଧଳା ହୋଇଥିବାବେଳେ କିଛି ଅଂଶ ନୀଳ ରହିଥିଲା। ତେବେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇଛି। ଟ୍ରେନ୍‌ର ବାହାର ପାର୍ଶ୍ୱ ନାରଙ୍ଗୀ ଓ ଧଳା ରଙ୍ଗ ହୋଇଥିବାବେଳେ ଟ୍ରେନ୍‌ ଭିତର ଧଳା ଓ ସିଟ୍‌ଗୁଡିକ ନୀଳ ରଙ୍ଗ କରାଯାଇଛି। ଏଥିସହ ଏଥିରେ ୨୫ ପ୍ରକାରର ପରିବର୍ତ୍ତନ ଅଣାଯାଇଛି। ୮ଟି କୋଚ୍‌ ବିଶିଷ୍ଟ ଏସି ଚେୟାର କାର୍‌ ଥିବା ଏହି ଟ୍ରେନ୍‌ର ଭିତର ପାର୍ଶ୍ୱରେ ଭିତ୍ତିଭୂମିରେ କେତେକ ପରିବର୍ତ୍ତନ କରାଯାଇଛି। ଅତ୍ୟାଧୁନିକ ଫାୟାର ସେଫ୍ଟି ବ୍ୟବସ୍ଥା, ସିଟ୍‌ଗୁଡିକର ଓସାର ବୃଦ୍ଧି ସହ ଆରାମଦାୟକ କରାଯାଇଛି। ସେହିପରି ଦିବ୍ୟାଙ୍ଗ ଯାତ୍ରୀଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବାବେଳେ ପ୍ରତ୍ୟେକ ସିଟ୍‌ ତଳେ ଚାର୍ଜିଂ ପଏଣ୍ଟ, ଇ-ଶୌଚାଳୟରେ ଅତ୍ୟାଧୁନିକ ବ୍ୟବସ୍ଥା, ଜଳବାୟୁ ଓ ସ୍ବାସ୍ଥ୍ୟକୁ ଖାପଖୁଆଇବା ଭଳି ଶୀତତାପ ନିୟନ୍ତ୍ରଣ, ୱାଇ-ଫାଇ, କୋଚ୍‌ ଭିତରେ ମାଗାଜିନ କର୍ଣ୍ଣର ଭଳି ବିଭିନ୍ନ ସୁବିଧା କରାଯାଇଛି। ସପ୍ତାହରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି(ଆଇସିଏଫ୍‌)ରେ ବନ୍ଦେ ଭାରତର ମରାମତି କାର୍ୟ୍ୟର ତଦାରଖ କରିଥିଲେ।

ଏହି ସମୟରେ ସେ କହିଥିଲେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ୮ଟି କୋଚ୍‌ ବିଶିଷ୍ଟ ନୂଆ ଥିମ୍‌ର ବନ୍ଦେ ଭାରତ ଏକ୍ସପ୍ରେସ୍‌ର ନିର୍ମାଣ କାର୍ୟ୍ୟ ଚାଲିଛି। ଭାରତୀୟ ରେଳ ନେଟୱର୍କରେ ବନ୍ଦେ ଭାରତ ଏକ୍ସପ୍ରେସ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ସେହିପରି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଯାତ୍ରୀଙ୍କ ଲାଗି ସ୍ଲିପର କୋଚ୍‌ର ନିର୍ମାଣ କାର୍ୟ୍ୟ ଚାଲିଛି। ଏନେଇ ରୁଷିଆର ଟିଏମ୍‌ଏଚ୍‌ ଓ ଭାରତରେ ଆର୍‌ଏନ୍‌ଭିଏଲ୍‌ କମ୍ପାନୀ ମଧ୍ୟରେ ଚୁକ୍ତିନାମା କରାଯାଇଛି। ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ୧୨୦ଟି ସ୍ଲିପର ବିଶିଷ୍ଟ ବନ୍ଦେ ଭାରତ ଏକ୍ସପ୍ରସ୍‌ ଚଳାଚଳ କରିବ। ସେହିପରି ଆଇସିଏପ୍‌ର ମହାପ୍ରବନ୍ଧକ ବି.ଜି. ମାଲ୍ୟା କହିଛନ୍ତି, ଜାତୀୟ ପତାକାର ନାରଙ୍ଗୀ ରଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ନୂଆ ଲୁକ୍‌ ଦିଆଯାଇଛି।

Leave A Reply

Your email address will not be published.