ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିର୍ଲା ଗ୍ରୁପର ଅଧ୍ୟକ୍ଷ; ୧୨ହଜାର କୋଟିର ନୂଆ ପୁଞ୍ଜିନିବେଶ ପ୍ରସ୍ତାବ

0

ଓଡ଼ିଆ ନ୍ୟୁଜ୍ : ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା। ବୈଠକରେ ଓଡ଼ିଶାରେ ଗ୍ରୁପ୍ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବୃହତ୍ ପ୍ରକଳ୍ପର ସମୀକ୍ଷା ସହ ସେ ଗୁଡ଼ିକର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା । ବୈଠକର ଏକ ପ୍ରମୁଖ ନିଷ୍ପତ୍ତି ଭାବେ ରାୟଗଡ଼ା ଜିଲ୍ଲାର କାଶୀପୁର ତହସିଲ ଅନ୍ତର୍ଗତ କଂସାରୀଗୁଡ଼ାରେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ନିର୍ମାଣାଧୀନ ଗ୍ରୀନଫିଲ୍ଡ ଆଲୁମିନା ରିଫାଇନାରୀର ସମ୍ପ୍ରସାରଣ ପ୍ରସ୍ତାବ ରଖାଯାଇଥିଲା। ପ୍ରାରମ୍ଭରେ ଏହି ପ୍ରକଳ୍ପ ୧ ମିଲିୟନ ଟନ ବାର୍ଷିକ କ୍ଷମତା ଏବଂ ପ୍ରାୟ ୮,୦୦୦ କୋଟି ଟଙ୍କା ବିନିଯୋଗ ସହ ଯୋଜନା କରାଯାଇଥିଲା। ବର୍ତ୍ତମାନ ପ୍ରକଳ୍ପର ଦୀର୍ଘ ମିଆଦି ସମ୍ଭାବନା ଏବଂ ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗକୁ ଦୃଷ୍ଟିରେ ରଖି ଗ୍ରୁପ୍ ପକ୍ଷରୁ ଅତିରିକ୍ତ ପ୍ରାୟ ୧୨,୦୦୦କୋଟି ଟଙ୍କା ବିନିଯୋଗ କରି ଆଉ ୨ ମିଲିୟନ ଟନ କ୍ଷମତା ବୃଦ୍ଧି କରିବାର ପ୍ରସ୍ତାବ ଦିଆଯାଇଛି।

ଏହି ସମ୍ପ୍ରସାରଣ ପରେ କଂସାରୀଗୁଡ଼ା ରିଫାଇନାରୀର ମୋଟ କ୍ଷମତା ୩ ମିଲିୟନ ଟନ ପ୍ରତି ବର୍ଷକୁ ବୃଦ୍ଧି ପାଇବ ଏବଂ ମୋଟ ପୁଞ୍ଜିନିବେଶ ପ୍ରାୟ ୨୦,୦୦୦ କୋଟି ଟଙ୍କାରେ ପହଞ୍ଚିବ। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବହୁ ସଂଖ୍ୟକ ରୋଜଗାର ସୃଷ୍ଟି ହେବା ସହ ସ୍ଥାନୀୟ ଉଦ୍ୟୋଗୀ, ସେବା ପ୍ରଦାନକାରୀ ଏବଂ ଡାଉନଷ୍ଟ୍ରିମ୍ ଶିଳ୍ପ ପାଇଁ ନୂଆ ସୁଯୋଗ ଦେବ । ଏହି ପ୍ରସ୍ତାବକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ଓଡ଼ିଶାର ଖଣିଜ ସମ୍ପଦକୁ ଅଧିକ ମୂଲ୍ୟ ସଂଯୋଜନ, ଉନ୍ନତ ଉତ୍ପାଦନ ଓ ଗୁଣବତ୍ତାପୂର୍ଣ୍ଣ ନିଯୁକ୍ତିରେ ରୂପାନ୍ତରିତ କରିବା ଆମର ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣରେ ଆଲୁମିନିୟମ୍ ଶିଳ୍ପ ଏକ ମୁଖ୍ୟ ଭୂମିକା ନିଭାଇବ । ସେ ଆହୁରି ମଧ୍ୟ କହିଥିଲେ, ରାଜ୍ୟ କେବଳ ଆଲୁମିନା ଓ ଆଲୁମିନିୟମ୍ ଉତ୍ପାଦନରେ ନୁହେଁ, ବରଂ ରିଫାଇନିଂ, ପ୍ରାଥମିକ ଧାତୁ ଉତ୍ପାଦନ, ଡାଉନଷ୍ଟ୍ରିମ୍ ଏବଂ ଉନ୍ନତ ଉତ୍ପାଦ ନିର୍ମାଣ ସମେତ ସମଗ୍ର ଭାଲ୍ୟୁ ଚେନ୍ରେ ବିଶ୍ୱସ୍ତରୀୟ ଶିଳ୍ପ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି ।

କଂସାରିଗୁଡ଼ା ରିଫାଇନାରୀ ବିସ୍ତାର ଏହି ଗତିକୁ ଆହୁରି ଶକ୍ତିଶାଳୀ କରିବ ଏବଂ ଓଡ଼ିଶାକୁ ଦେଶର ପ୍ରମୁଖ ଧାତୁ ଓ ଧାତୁ ପ୍ରକ୍ରିୟାକରଣ ହବ୍ ଭାବେ ସ୍ଥାପିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଦିତ୍ୟ ବିର୍ଲା ଗ୍ରୁପ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ପ୍ରକଳ୍ପର ଶୀଘ୍ର କାର୍ଯ୍ୟାନ୍ୱୟନ ଓ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଜାରି ରଖିବେ।

Leave A Reply

Your email address will not be published.