ଶାସନ କ୍ଷମତାର ଅପବ୍ୟବହାର କରି ବିଜେପିକୁ ବଦନାମ୍ କରୁଛି ବିଜେଡି,ଦେବଗଡ ଜିଲ୍ଲାରେ ବିଜୁ ଜନତା ଦଳର ଗୁଣ୍ଡାଗର୍ଦ୍ଦି ସୀମା ଲଂଘିଛି: ସୁବାଷ ପାଣିଗ୍ରାହୀ

0

 ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜୁ ଜନତା ଦଳର କର୍ମୀମାନେ ଯେଉଁ ଭଳି ଭାବେ ଦାଦାଗିରି କରୁଛନ୍ତି, କୈାଣସି ଜନପ୍ରତିନିଧି କାମ କରିପାରିବେ ନାହିଁ । ବେଆଇନ କାମକୁ ‘ଡେଭଲପମେଂଟ’ର ଆଖ୍ୟା ଦେଇ ବିଜେଡି କର୍ମୀମାନେ କାର୍ଯ୍ୟ କରୁଛନ୍ତି । ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ କଲେ ମିଛ ଦୋଷ ଲଦି ଦିଆଯାଉଛି । ଶାସନ କ୍ଷମତାର ଅପବ୍ୟବହାର କରି ବିଜେପିକୁ ବଦନାମ୍ କରୁଛି ବିଜେଡି ବୋଲି ଦେବଗଡ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଦେବଗଡ ପୈାର ପରିଷଦରେ ବିନା କୈାଣସି ରିଜୋଲୁଶନରେ ସବୁ କିଛି ଚାଲିଛି । ଟାଉନ ହଲ ମୁଖ୍ୟ ଫାଟକରେ ପାଚେରୀ ଭାଙ୍ଗିବା ଘଟଣାରେ ବିଜେପିକୁ ଦୋଷ ଲଦିବା ସହ ଗୁଣ୍ଡାଗର୍ଦ୍ଦି କରିବାର ସମସ୍ତ ସୀମା ଲଂଘିଛନ୍ତି । ଜିଲ୍ଲାରେ ଏକ ମୁଖ୍ୟ ସଭା କକ୍ଷ ଭାବେ ଟାଉନ ହଲର ବହୁ ଗୁରୁତ୍ୱ ରହିଛି । ସାଧାରଣରେ ଭିଡ ହେଉଥିବାରୁ ନିୟମ ମୁତାବକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିବା ଉଚିତ୍ । ମାତ୍ର ଗୋଟିଏ ଦ୍ୱାରକୁ ବନ୍ଦ କରିଦେବାକୁ ସାଧାରଣ ଲୋକଙ୍କ ସମେତ ମୁଁ ମଧ୍ୟ ବିରୋଧ କରିଆସୁଥିଲୁ । ଏ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ସ୍ଥାନୀୟ ଏସପି ମଧ୍ୟ ନିଜ ରିପୋର୍ଟରେ ଏହାକୁ ବିରୋଧ କରିଥିଲେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।
ଏସଏଚଜି ମହିଳାମାନେ କାମ କରିବା ମିଥ୍ୟା । ବିଜେଡି ଦାଦାଗିରି କରି ବିଜେପି ଉପରେ ଦୋଷ ଲଦୁଛି । ସାଧାରଣ ଜନତା ଏବଂ ସ୍ଥାନୀୟ କାଉନସିଲରମାନେ ଏଭଳି ନିର୍ମାଣକୁ ବିରୋଧ କରିବାରୁ ବନ୍ଦ କରାଯାଇଥିବା ଗୋଟିଏ ଗେଟ୍ ଖୋଲା ଗଲା । ମୁଁ କୌଣସି ପାଚେରୀ ଭାଙ୍ଗିନାହିଁ ବରଂ ଲୋକମାନେ ଭାଙ୍ଗିଛନ୍ତି । ଏପରିକି ପାଚେରୀ ଭାଙ୍ଗିବା ସମୟରେ ଗୋଟିଏ ହେଲେ ମହିଳା ଏହାକୁ ବିରୋଧ କରିନଥିଲେ । ଦେବଗଡ ପୌର ପରିଷଦରେ ବିନା ରିଜଲୁସନରେ ସବୁ କାମ କରୁଛନ୍ତି ବିଜେଡି କର୍ମୀମାନେ । କିନ୍ତୁ ସେମାନେ ନିଜର ଭୁଲକୁ ନମାନି ବିଜେପି ବିରୋଧରେ ଦୋଷ ଲଦୁଛନ୍ତି ବୋଲି ଦେବଗଡ ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ପାଚେରୀ ନିର୍ମାଣ କାର୍ଯ୍ୟ ସଂପର୍କରେ ପଚାରିବାରୁ କୈାଣସି ଅଧିକାରୀ ସଠିକ ତଥ୍ୟ ଦେଇପାରିନଥିଲେ । ବିନା କୈାଣସି ଯୋଜନା କିମ୍ବା କାହା ସହ ଆଲୋଚନା କରାନଯାଇ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରାଯାଉଥିଲା । ନିଜ ଦୋଷକୁ ଲୁଚାଇବା ପାଇଁ ଚଂଚକତା କରାଯାଇ ପୂର୍ବ ତାରିଖ ଅର୍ଥାତ ୫ ତାରିଖରେ ଗୋଟିଏ ଏସଏଚଜି ଗୃପ ନାମରେ ୱାର୍କଅଡର ଇସ୍ୟୁ କରାଯାଇଥିଲା । ଏହା ପରେ ଏସଏଚଜି ଗ୍ରୁପକୁ ହାତେଇ ମୋ ନାଁରେ ମିଥ୍ୟା ଆରୋପ ଲଗାଇଲେ । ଜିଲ୍ଲାପାଳ ବିଜେଡି ସଭାପତି ଭଳି କାର୍ଯ୍ୟ କରୁଛନ୍ତି । ବିଜୁ ଜନତା ଦଳ ସବୁ ହୀନକାର୍ଯ୍ୟ କରି ବିଜେପି ବିଧାୟକଙ୍କୁ ଦୋଷ ଦେବା ଆଶ୍ଚର୍ଯ୍ୟ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।
ନୂଆ ମ୍ୟୁନିସପାଲଟି ହେବା ପରେ ବିଜୁ ଜନତା ଦଳ ହିଂସ୍ର ହୋଇ ବିଜେପିର ଆଡୁଆଳରେ ବିନା ରିଜୋଲୋସନରେ ଅନେକ କାର୍ଯ୍ୟ କରୁଛି । ୱାର୍ଡରେ ଡ୍ରେନ, ରାସ୍ତ ସମସ୍ୟା ଥିଲେ ବି ବିଜେଡି ତାହାର ସମାଧାନ କରୁନାହିଁ । ଅସହିଷ୍ଣୁ ହୋଇପଡିଥିବା ବିଜେଡି ଶାସନ କ୍ଷମତାର ଅପବ୍ୟବହାର କରି ମୋତେ ଏବଂ ବିଜେପିକୁ ନିନ୍ଦିତ କରିବାର ପ୍ରୟାସ ଜାରୀ ରଖିଛି । ଦେବଗଡ ଜିଲ୍ଲାରେ ବିଜେପିର ଚିହ୍ନ ବର୍ଣ୍ଣ ନରଖିବା ଲାଗି ବିଜୁ ଜନତା ଦଳ ସମସ୍ତ ପ୍ରକାର ଅଗଣତାନ୍ତ୍ରିକ ଓ ହୀନକାର୍ଯ୍ୟ କରୁଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.