ପାୱାରକଟକୁ ନେଇ ବିଜେପିର ଆନ୍ଦୋଳନକୁ ହାସ୍ୟାସ୍ପଦ କହିଲା ବିଜେଡି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଗରମ ଗୁଳୁଗୁଳିରେ ଜଳୁଛି ଓଡିଶା ।   ଅସହ୍ୟ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଘନଘନ ଓ ଘଣ୍ଟା ଘଣ୍ଟା ଧରି ପାୱାର କଟ୍ ସମସ୍ୟାକୁ ନେଇ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଶାସକ ବିଜେଡି ପାଇଁ ଏହା ଏକ ‘ହାସ୍ୟାସ୍ପଦ’ ପ୍ରସଙ୍ଗ । ୨୩ବର୍ଷର ଶାସନ କାଳରେ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମିକୁ ସଜାଡ଼ି ନଥିବା ଶାସକ ବିଜେଡି ସାଧାରଣ ମାନବିକତାକୁ ଭୁଲି ନିଜର ହୀନ ରାଜନୀତିକ ସ୍ୱାର୍ଥ ପୂର୍ତ୍ତି ପାଇଁ ରାଜ୍ୟରେ ‘ପାୱାର କଟ୍‌’ ଏକ ପ୍ରସଙ୍ଗ ନୁହେଁ ଓ ଏହା ଭିତ୍ତିହୀନ ବୋଲି କହିବାକୁ ପଛାଇ ନାହିଁ ।

ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କ ଏଭଳି ମନ୍ତବ୍ୟ ବିଜୁଳି ବିଭ୍ରାଟ ଯୋଗୁ ହନ୍ତସନ୍ତ ହେଉଥିବା ସାଧାରଣ ଲୋକଙ୍କ ପ୍ରତି ଉପହାସ ସଦୃଶ ହୋଇଛି ।ରାଜ୍ୟତମାମ ପାୱାର କଟ୍ ସମସ୍ୟା ଲାଗି ରହିଥିବାବେଳେ ଗାଁ ଗହଳିରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ୍ ପ୍ରତିବାଦରେ ରାଜ୍ୟ ବିଜେପି ଆଜିଠୁ ୨ଦିନ ଧରି ରାଜ୍ୟବ୍ୟାପୀ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଆନ୍ଦୋଳନ ଆରମ୍ଭ କରିଛି । ଏପଟେ କଂଗ୍ରେସ ମଧ୍ୟ ଅନୁରୂପ ଭାବେ ପାୱାର କଟ୍ ପ୍ରସଙ୍ଗରେ ଆସନ୍ତା ୧୯ତାରିଖରୁ ଗ୍ରୀଡକୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ଘୋଷଣା କରିଛି । ପାୱାର କଟ୍ ସମସ୍ୟା ସହରରୁ ଗାଁ ପର୍ଯ୍ୟନ୍ତ ଚାରିଆଡ଼େ ଲାଗି ରହିଥିବାବେଳେ ଶାସକ ବିଜେଡି ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମିରେ ସୁଧାର ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ରାଜନୀତିକ ଉଦ୍ଦେଶ୍ୟ ରଖି ଆଜି ଅଚାନକ ଗ୍ୟାସଦର ବୃଦ୍ଧିକୁ ନେଇ ଗଣଧାରଣା ଦେଇଛି । ଯଦିଓ ମାର୍ଚ୍ଚ ମାସରେ ବିଜେଡି ଅନୁରୂପ ଧାରଣା ଦେଇଥିଲା ଓ ସେବେଠୁ ଗ୍ୟାସ ଦର ବୃଦ୍ଧି ହୋଇନି

। ତଥାପି ବିଜେଡି ଆଜି ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ ରାଜଭବନ ଆଗରେ ଧାରଣା ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇ ବିଜେପି ଦ୍ୱାରା ବିଦ୍ୟୁତ ବ୍ରିଭାଟକୁ ନେଇ ହେଉଥିବା ରାଜ୍ୟବ୍ୟାପୀ ପ୍ରତିବାଦରୁ ନଜର ହଟାଇବାକୁ ଚାହିଁଛି । ଯୁବ ବିଜେଡି ସଭାପତି ଶ୍ରୀ ରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି ଯେଉଁ ପ୍ରସଙ୍ଗ(ପାୱାର କଟ୍)ରେ ଆନ୍ଦୋଳନ କରୁଛି ତାହା ହାସ୍ୟାସ୍ପଦ । ଏଭଳି ପ୍ରସଙ୍ଗ ଭିତ୍ତିହୀନ ଓ ଅମୂଳକ । ବିଜେପି ମିଛରେ ରାଜନୀତି କରୁଥିବାରୁ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସତରେ କ’ଣ ରାଜ୍ୟରେ ପାୱାର କଟ୍ ହେଉନି। ବିଦ୍ୟୁତ ବିଭ୍ରାଟ ଯୋଗୁ ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ଲୋକେ ପାୱାରକଟ୍ ଯୋଗୁ ହନ୍ତସନ୍ତ ହେଉନାହାନ୍ତି ବୋଲି ପ୍ରଶ୍ନ ଉଠୁଛି। ସାଢ଼େ ୪କୋଟି ଓଡ଼ିଆଙ୍କୁ ନିଜର ପରିବାର ବୋଲି ଦାବି କରୁଥିବା ବିଜେଡି ସୁପ୍ରିମୋ କ’ଣ ଏହି ବାସ୍ତବତା ପ୍ରତି ଅଜ୍ଞ ଅଛନ୍ତି। ଯଦି ବିଜେଡି ନିଜର ରାଜନୀତିକ ଉଦ୍ଦେଶ୍ୟ ପାଇଁ ସାଧାରଣ ଲୋକଙ୍କ ସମସ୍ୟାର ଆଳ ଦେଖାଇ ଗ୍ୟାସ ଦର ବୃଦ୍ଧିକୁ ପ୍ରସଙ୍ଗ କରି ରାଜରାସ୍ତାକୁ ଓହ୍ଲାଇଲା, ତଥାପି ପାୱାର କଟ୍ ଓ ବିଦ୍ୟୁତ ବିଭ୍ରାଟ ରାଜ୍ୟରେ ସମସ୍ୟା ନୁହେଁ ବୋଲି କିଭଳି ନିଆଁଗିଳା କଥା କହିବାକୁ ସାହାସ କରୁଛି ।

Leave A Reply

Your email address will not be published.