‘ମୋ ଘର’ ଯୋଜନା ମାଧ୍ୟମରେ ୨୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଓଡିଶାବାସୀଙ୍କ ପାଇଁ ଖୁସି ଖବର ।  ଓଡିଶା ସରକାରଙ୍କ ଗ୍ରାମାଞ୍ଚଳ ଲୋକମାନଙ୍କୁ ଗୃହ ନିର୍ମାଣ ନିମନ୍ତେ ‘ମୋ ଘର’ ଯୋଜନା ମାଧ୍ୟମରେ କେନ୍ଦୁଝର କେନ୍ଦ୍ର ସମବାୟ (କେସିସି) ବ୍ୟାଙ୍କ ୨୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବ।

ବ୍ୟାଙ୍କ ସଭାଗୃହରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରି ପହି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ ସହ ବ୍ୟାଙ୍କର ପରିଚାଳନା ପରିଷଦ ଅନ୍ୟୁନ ୨୦୦ କୋଟି ଟଙ୍କା ଋଣ ପ୍ରଦାନ ନିଷ୍ପତ୍ତି ଗ୍ରହଣ କରିଥିବା କହିଥିଲେ। ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନାକୁ ଅଧିକ ଲୋକାଭିମୂଖି କରିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଶ୍ରୀ ପହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ରାଜ୍ୟ ସରକାରଙ୍କ ସମବାୟ ବିଭାଗ ବିଭିନ୍ନ ଲୋକାଭିମୁଖି ଯୋଜନାକୁ ତୃଣମୂଳରେ ପହଞ୍ଚାଇବା ପାଇଁ କେନ୍ଦୁଝର ଜିଲାରେ ନୂତନ ଭାବେ ୭୭ ଗୋଟି ବୃହତ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ୍‌) ଏବଂ ୧୪ ଗୋଟି ସେବା ସମବାୟ ସମିତି (ପ୍ୟାକ୍ସ) ଖୋଲା ଯାଇଛି।

ଏହି ଲ୍ୟାମ୍ପସ୍‌ ଓ ପ୍ୟାକ୍ସ ଖୋଲିବା ଦ୍ୱାରା ଗ୍ରାମାଞ୍ଚଳରେ କୃଷକମାନେ ଅତି ସହଜରେ କୃଷିଋଣ, ସାର, ବିହନ ଏବଂ କୃଷି ଯନ୍ତ୍ରପାତି ରିଆତି ମୂଲ୍ୟରେ ପାଇପାରିବା ସହିତ ନିଜର ଉତ୍ପାଦିତ ଶସ୍ୟକୁ ମଧ୍ୟ ବିକ୍ରି କରିପାରିବେ ବୋଲି ଶ୍ରୀ ପହି କହିଥିଲେ। କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ବର୍ତ୍ତମାନ ୧୯ଟି ଶାଖା ମାଧ୍ୟମରେ କେନ୍ଦୁଝର ଜିଲାର କୃଷକମାନଙ୍କ ବିକାଶ ପାଇଁ ଦୀର୍ଘ ୭୩ବର୍ଷ ଧରି ନିରନ୍ତର ସେବା ଯୋଗାଇ ଆସୁଛି । ଇତିମଧ୍ୟରେ ନୂତନ ଭାବେ ବାଂଶପାଳ ଓ ଗୟଳମୁଣ୍ଡା ଭଳି ଦୁର୍ଗମ ଅଞ୍ଚଳରେ ଶାଖା ଖୋଲାଯାଇ ବ୍ୟାଙ୍କିଂ ସେବାକୁ ଅଧିକ ତ୍ୱରାନିତ କରାଯାଇ ପାରିଛି ।

କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ କାଳିଆହତା, ସୋସୋ ଏବଂ ଉଖୁଣ୍ଡା ଠାରେ ନୂତନ ଶାଖା ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ପହି କହିଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେବା ନିମନ୍ତେ ପ୍ରସ୍ଥାବ ଗ୍ରହଣ କରାଯାଇଛି । ବର୍ତ୍ତମାନ ଦୀର୍ଘମିଆଦି କୃଷି ଋଣକୁ ବ୍ୟାଙ୍କସ୍ତରରେ ୧୦ଲକ୍ଷ ଟଙ୍କାରୁ ବୃଦ୍ଧିକରି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଞ୍ଜୁର କରିବା ନିମନ୍ତେ ପ୍ରସ୍ଥାବ ଗ୍ରହଣ କରାଯାଇଅଛି । ସେହିପରି ଭାବେ ବ୍ୟାଙ୍କ ଅଧିକ ଗୃହ ଋଣ, ବ୍ୟବସାୟ ଋଣ, ବ୍ୟକ୍ତିଗତ ଋଣ ଏବଂ ଅନ୍ୟାନ୍ୟ ଋଣକୁ ୪୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଞ୍ଜୁର କରିବା ନିମନ୍ତେ ନିଷ୍ପତ୍ତିି କରିଛି ।ବର୍ତ୍ତମାନ ଓଡିଶା ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ‘ମୋ ଘର’ ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଋଣ ପ୍ରଦାନ ନିମନ୍ତେ କେସିସି ବ୍ୟାଙ୍କ ନିଷ୍ପତ୍ତି ଗ୍ରହଣ କରିଛି ।

କେନ୍ଦୁଝରସ୍ଥିତ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଏବଂ ଘଟଗାଁସ୍ଥିତ ନୂତନ ଶାଖା ଗୃହ ନିର୍ମାଣ କରିବା ନିମନ୍ତେ ପ୍ରସ୍ତାବ ଗୃହିତ ହୋଇଛି । ଏହାଦ୍ୱାରା ବ୍ୟାଙ୍କର ସିଆରଏଆର ବୃଦ୍ଧି ପାଇବା ସହିତ ଅବନ୍ନତି (ଡେପ୍ରିସିଏସନ) ମାଧ୍ୟମରେ ଦ୍ୱାରା ଆୟକର ସୁବିଧା ମିଳିପାରିବ । ଏହି ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ ଉପରିସ୍ଥ ଅଧିକାରୀଙ୍କ ଠାରୁ ଅନୁମୋଦନ ମିଳିସାରିଛି । ଓଡିଶାରେ ପ୍ରଥମଥର ନୂତନ ଭାବେ ଖୋଲା ଯାଇଥିବା ଲ୍ୟାମ୍ପସ୍‌ ଓ ପ୍ୟାକ୍ସ ଗୁଡିକର ଆସେଟ ଓ ଲିଆବିଲିଟି ଟ୍ରାନ୍ସଫର କରାଯାଇଅଛି । ଅଧିକ ଋଣ ପ୍ରଦାନ କରିବା ପାଇଁ ଅବଶ୍ୟକ ହେଉଥିବା ପାଣ୍ଠି ସଂଗ୍ରହ ନିମନ୍ତେ ଜିଲା ପ୍ରଶାସନକୁ ସରକାରୀ ଟଙ୍କା କେସିସି ବ୍ୟାଙ୍କରେ ଜମା କରିବା ପାଇଁ ଅନୁରୋଧ ପତ୍ର ପ୍ରେରଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସଭାପତି ଶ୍ରୀ ପହି ଏହା କହିଛନ୍ତି ।

 

Leave A Reply

Your email address will not be published.