ରେଳ ବଜେଟକୁ ନେଇ ବର୍ଷିଲା ବିଜେଡି: କେନ୍ଦ୍ରର ଏନଡିଏ ସରକାର ଓଡିଶା ପ୍ରତି ସାବତ ପୁଅ ଭଳି ବ୍ୟବହାର କରୁଛି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଏନଡିଏ ସରକାର ଅମଳରେ ଗତ ୯ ବର୍ଷ ଧରି ଓଡିଶାକୁ କେନ୍ଦ୍ରୀୟ ଅବହେଳାକୁ ନେଇ ବର୍ଷିଛି ବିଜେଡି । ରେଳବାଇରେ କେନ୍ଦ୍ରର ଏନଡିଏ ସରକାର ଓଡିଶା ପ୍ରତି ସାବତ ପୁଅ ଭଳି ବ୍ୟବହାର କରୁଛି । ପ୍ରତିବର୍ଷ ରେଳବାଇରେ କେନ୍ଦ୍ର ସରକାର ଓଡିଶାରୁ ୨୦ରୁ ୨୨ହଜାର କୋଟି ଟଙ୍କା ରାଜସ୍ବ ସଂଗ୍ରହ କରୁଛନ୍ତି। ଆଦିବାସୀ ଅଞ୍ଚଳ ଲୋକେ ନୂତନ ରେଳ ସଂଯୋଗ ପାଇ ନାହାନ୍ତି କି ଗତ ୫ବର୍ଷ ମଧ୍ୟରେ ଗୋଟିଏ ହେଲେ ନୂତନ ରେଳ ଲାଇନ୍‍ ମଞ୍ଜୁର ହୋଇନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ଏହି ହିସାବରେ ଗତ ୯ବର୍ଷରେ ପ୍ରାୟ ୨ଲକ୍ଷ କୋଟି ଟଙ୍କା ରେଳବାଇକୁ ଓଡିଶା ଦେଇଛି । ଯେଉଁ ଅନୁପାତରେ ଓଡିଶାରୁ ରାଜସ୍ବ ଆଦାୟ ହେଉଛି, ସେହି ଅନୁପାତରେ ରାଜ୍ୟରେ ରେଳବାଇର ବିକାଶ ପାଇଁ ସହାୟତା ଦିଆଯାଉନି ।

କେବିକେ ଜିଲ୍ଲା ସହ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ ଗତ ୯ବର୍ଷରେ କୌଣସି ନୂଆ ରେଳ ଲାଇନ ମଂଜୁର ହୋଇନି। ୯ ବର୍ଷ ମଧ୍ୟରେ କେବଳ ଭୁବନେଶ୍ବରରୁ ନୟାଗଡକୁ ରେଳଲାଇନ ସଂଯୋଗ ହୋଇ ପ୍ୟାସେଞ୍ଜର ଟ୍ରେନ ଚାଲୁଛି। ଯେଉଁଥିରେ ମାତ୍ର ଦୁଇ ଶହ ଜଣ ଯାଉଛନ୍ତି। ସେପଟେ ରେଳ ଲାଇନ ସଂଯୋଗ ହେବା ପରେ ବି କେନ୍ଦ୍ରାପଡାକୁ ଚାଲିପାରୁନି ପାସେଞ୍ଜର ଟ୍ରେନ । ଆର୍ଥିକ ଦୃଷ୍ଟିରୁ ଏହି ରେଳ ଲାଇନ ଲାଭଜନକ ହେବନି ଦର୍ଶାଇ କେନ୍ଦ୍ରାପଡାକୁ ଚାଲୁନି ପ୍ୟାସେଞ୍ଚର ଟ୍ରେନ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ପୁରୀ-କୋଣାର୍କ ପ୍ରମୁଖ ।

କିନ୍ତୁ ପୁରୀରୁ କୋଣାର୍କକୁ ଏଯାଏଁ ରେଳଲାଇନ ସଂଯୋଗ ହୋଇନି । ପଦମପୁରକୁ ରେଳ ଲାଇନ ପାଇଁ ଉପନିର୍ବାଚନରେ ବିଜେପିର ନେତା ମନ୍ତ୍ରୀ ବାହାସ୍ଫୋଟ ମାରିଥିଲେ । ଖୁବଶୀଘ୍ର ବରଗଡ଼- ନୂଆପଡା ଭାୟା ପଦମପୁର ରେଳ ଲାଇନ କାମ ଆରମ୍ଭ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ବଜେଟରେ ଏହି ରେଳ ପ୍ରକଳ୍ପର କୌଣସି ପ୍ରସ୍ତାବ ନାହିଁ । ସେପଟେ ଗୁଣପୁର-ଥେରୁବାଲି, ତାଳଚେର-ବିମଳାଗଡ଼ ରେଳ ଲାଇନ କାମ ଗତ ୯ ବର୍ଷ ହେଲା ଆରମ୍ଭ ହୋଇପାରୁନି । ଯେଉଁ ଭଳି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଚାଲିଛି, ସେଥିରୁ ସ୍ପଷ୍ଟ ହେଉଛି ଯେ, କେନ୍ଦ୍ର ସରକାର ସବୁଠୁ ମନ୍ଥର ଗତିର ରେଳ ପାଇଁ ବିଶ୍ବ ରେକର୍ଡ କରିବେ । ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ସହିତ ଅଧା ଖର୍ଚ୍ଚ ଦେଉଛନ୍ତି ।

ତଥାପି କାମ ସମ୍ପୂର୍ଣ୍ଣ ହୋଇପାରୁନି । ଗତ ୯ବର୍ଷରେ ରାଜ୍ୟରେ ଗୋଟିଏ ବି ରେଲଓ୍ବେ ପ୍ରୋଜେକ୍ଟ ହୋଇନି । ଓଡିଶାରେ ଗୋଟିଏ ବି ରେଲଓ୍ବେ ଫାକ୍ଟ୍ରି ହୋଇପାରିଲାନି । ସିତଳାପଲ୍ଲୀ ଓ୍ବାଗନ ଫାକ୍ଟ୍ରି ମଧ୍ୟ କାର୍ଯ୍ୟକାରୀ ହୋଇନି । ରାଜ୍ୟ ସରକାରଙ୍କ ତରଫରୁ ସବୁ ସହାୟତା ପରେ ବି ଓଡ଼ିଶା ଅବହେଳିତ ହେଉଛି । ୮ଜଣ ବିଜେପି ସାଂସଦଙ୍କୁ ଓଡିଶାବାସୀ ନିର୍ବାଚିତ କରିଛନ୍ତି । ମାତ୍ର ସେମାନେ ରାଜ୍ୟରେ ରେଳ ବିକାଶ ପାଇଁ ଉଦ୍ୟମ କରୁନାହାନ୍ତି । ଲୋକଙ୍କୁ ଭୁଆଁ ବୁଲାଇବା ପରିବର୍ତ୍ତେ ରାଜ୍ୟର ହକ ପାଇଁ କେନ୍ଦ୍ରରେ ଦାବି ଉଠାଇବାକୁ ବିଜେପି ସାଂସଦଙ୍କୁ ପରାମର୍ଶ ଦେଇଛି ବିଜେଡି ।

Leave A Reply

Your email address will not be published.