ରତ୍ନଭଣ୍ଡାର ନେଇ ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଲା ବିଜେପି; କହିଲା- ୧୯୭୮ରେ ଯେତେ ରତ୍ନ ଥିଲା ତାହା ଏବେ ଅଛି ତ?

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ପୁଣି ଜୋର ହେଲା ଦାବି । ଆଜି ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ପୁଣିଥରେ ବର୍ଷିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ସୁରଥ ବିଶ୍ବାଳ କହିଛନ୍ତି ଯେ, ଜଗନ୍ନାଥଙ୍କ ସମ୍ପତ୍ତି ଲୁଟ କରିଥିବାରୁ ସେମାନଙ୍କୁ କ୍ଷମା ମିଳିବ ନାହିଁ। ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ନା ନାହିଁ, ପ୍ରଶ୍ନ କରିବା କଣ ଅପରାଧ ? ଅପରାଧ କରିବେ ସରକାର, କିନ୍ତୁ ଆମକୁ ଜଗନ୍ନାଥ କାହିଁକି ଅଭିଶାପ ଦେବେ ? ୧୯୭୮ରେ ରତ୍ନଭଣ୍ଡାର ଯେତେ ରତ୍ନ ଥିଲା ତାହା ଏବେ ଅଛି ତ ? ରତ୍ନଭଣ୍ଡାର ଖୋଲି ସେସବୁ ଅଛି ନା ନାହିଁ ତାହା ପ୍ରକାଶ କରନ୍ତୁ। ୧୯୭୮ରେ ତତ୍କାଳୀନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲା। ସେହି ସମୟରେ ଖୋଲା ଯାଇଥିବା ରତ୍ନଭଣ୍ଡାର ଅନୁସାରେ ଭିତର ରତ୍ନ ଭଣ୍ଡାରରେ ୩୬୭ଟି ଅଳଂକାରରେ ୪୩୬୪ଭରି ସୁନା ରହିଥିଲା। ୨୩୧ଟି ୧୪,୮୭୮ଭରି ରୁପା ଥିଲା। ଏବେ ସେ ସବୁ ଅଛି କି ନାହିଁ ବୋଲି ବିଜେପି ପ୍ରଶ୍ନ କରିଛି। ତେଣୁ ତୁରନ୍ତ ରତ୍ନଭଣ୍ଡାର ଖୋଲି ଯାଞ୍ଚ କରାଯାଉ। ୧୯୭୮ ମସିହାରେ ରତ୍ନଭଣ୍ଡାର ଯେତେ ରତ୍ନ ଥିଲା ତାହା ଏବେ ଅଛି ତ ? ତେବେ ରତ୍ନଭଣ୍ଡାର ଖୋଲି ସେସବୁ ଅଛି ନା ନାହିଁ ତାହା ପ୍ରକାଶ କରନ୍ତୁ।  ବିଜେଡ଼ି କହିବା ଅନୁସାରେ ୧୯୮୫ରେ ଯଦି ଖୋଲାଯାଇଥିଲା, ତେବେ ସେତେବେଳେ ଚାବି କେଉଁଠି ରହିଥିଲା । କିଏ ଖୋଲିଥିଲା ଏବଂ ପୁଣି କିଏ ରଖିଥିଲା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ଯଦି ହଜିଲା ସେଥିପାଇଁ କିଏ ଦାୟୀ ତାହା କୁହନ୍ତୁ । ୨୦୧୮ ଏପ୍ରିଲ୩ ରତ୍ନଭଣ୍ଡାର ଖୋଲା ଯାଇଥିବା ଅନୁଧ୍ୟାନ କମିଟି ରିପୋର୍ଟ ଅନୁସାରେ ରତ୍ନଭଣ୍ଡାରର କାନ୍ଥ ଭାଙ୍ଗି ଯାଇଛି। କାନ୍ଥକୁ ବାଡେଇଲେ ଫମ୍ପା ଶବ୍ଦ ବାହାରୁଛି। ଲୁହାଛଡ଼ ବାହାରି ଗଲାଣି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଆଇନ ଓ ରେକର୍ଡ ଅଫ ରାଇଟ ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲାଯାଇ ସ୍ୱର୍ଣ୍ଣ ଅଳଙ୍କାର ଯାଞ୍ଚ ହେବା କଥା। ଶେଷ ଥର ପାଇଁ ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ଇନଭେଣ୍ଟରି କରାଯାଇଥିଲା। ଭିତର ରତ୍ନଭଣ୍ଡାର ଖୋଲିବାକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ପ୍ରଶାସନିକ ଅଧିକାରୀ ୨୦୧୮ ଏପ୍ରିଲରେ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ପଦକ୍ଷେପ ନେଇଥିଲେ। ତେବେ ହଠାତ ରତ୍ନଭଣ୍ଡାର ଚାବି ହଜିଯାଇଥିବା ତଥ୍ୟ ସେବାୟତଙ୍କ ମାଧ୍ୟମରେ ପଦାକୁ ଆସିଲା। ଚାବି ହଜିବା ଘଟଣାକୁ ନେଇ ସମଗ୍ର ରାଜ୍ୟ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାର ଚାବି ହଜିବା ଘଟଣା ତଦନ୍ତ ପାଇଁ ଜଷ୍ଟିସ ରଘୁବୀର ଦାସ କମିଶନ ବସାଇଥିଲେ। ଏଥିପାଇଁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦ ମାସ ତଳୁ କମିଶନ ୩୨୪ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଥିଲେ। କିନ୍ତୁ ଏଯାଏଁ ତଦନ୍ତ ରିପୋର୍ଟକୁ ଚାପି ରଖାଯାଇଛି। ଏହି କାରଣରୁ ବାରମ୍ବାର ରତ୍ନଭଣ୍ଡାର ଚୋରୀ ନେଇ ପୋଷ୍ଟର ଲଗାଯାଉଛି। ରତ୍ନଭଣ୍ଡାର ତୁରନ୍ତ ଖୋଲି ଯାଞ୍ଚ ହେବା ସହ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରାଯାଇଛି।

Leave A Reply

Your email address will not be published.