ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ପ୍ରସଙ୍ଗରେ ବିଜେପିର କଟାକ୍ଷ, ନିର୍ବାଚନ ପାଖେଇ ଆସିଲେ ମନେ ପକାନ୍ତି,ପରେ ଭୁଲିଯାଆନ୍ତି ରାଜ୍ୟ ସରକାର

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଜନଜାତି ବହୁଳ ଜିଲ୍ଲାଗୁଡ଼ିକର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସଂରକ୍ଷଣ, ପ୍ରଜାତିକ, ପରିଚିତିର ସ୍ଥିତାବସ୍ଥା ବଜାୟ ରଖିବା ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ଗଠନ କରିଥିଲେ । ମାତ୍ର ନିର୍ବାଚନ ପରେ ଏହି ପରିଷଦ ସ୍ଥାଣୁ ପାଲଟି ଯାଇଥିଲା । ପ୍ରଥମ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ରାଜ୍ୟ ସରକାର ଜାଣିଶୁଣି ଏହାକୁ ବନ୍ଦ କରିଦେଇଥିଲେ । ମିଛ ଓ ପ୍ରହେଳିକା ଜରିଆରେ ଦୀର୍ଘ ୨୩ ବର୍ଷ ଧରି ଓଡିଶାବାସୀଙ୍କୁ ନିରନ୍ତର ଭାବେ ପ୍ରତାରଣା କରିଆସୁଛି ବିଜେଡି ସରକାର । ନିର୍ବାଚନ ପାଖେଇ ଆସିଲେ ଶାସକ ବିଜୁ ଜନତା ଦଳକୁ ଅନୁସୁଚିତ ଜାତି ଓ ଜନଜାତିଙ୍କ କଥା ମନେ ପଡେ ଏବଂ ମିଛ ପ୍ରତିଶୃତି ଦେଇ ସରଳ ଲୋକଙ୍କୁ ବୋକା ବନାଇଥାନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ  ମୋହନ ଚରଣ ମାଝୀ କହିଛନ୍ତି ।
ଓଡ଼ିଶା ଜନସଂଖ୍ୟାର ପ୍ରାୟ ୨୪% ହେଉଛନ୍ତି ଆଦିବାସୀ ଏବଂ ୬୨ଟି ସମ୍ପ୍ରଦାୟ ଓ ୧୩ଟି ପିଭିଟିଜି ସଂପ୍ରଦାୟର ଜନଜାତି ବସବାସ କରନ୍ତି । ଗତ କେନ୍ଦ୍ର ବଜେଟରେ ମୋଦି ସରକାର ପିଭିଟିଜି ସଂପ୍ରଦାୟର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥକ ଅନୁଦାନ ଯୋଗାଇ ଦେଇଥିବାବେଳେ ରାଜ୍ୟ ସରକାର ସଠିକ ବିନିଯୋଗ କରିବାରେ ବିଫଳ ହୋଇଛନ୍ତି ।

ବର୍ତମାନ ସୁଦ୍ଧା ଅଧିକାଂଶ ଜନଜାତି ଅଂଚଳରେ ବିକାଶ ପହଂଚି ପାରିନାହିଁ । ଜନଜାତିଙ୍କୁ ସାମ୍ବିଧାନିକ ଅଧିକାର ଯୋଗାଇ ଦେବା ପାଇଁ ପ୍ରଣୟନ ହୋଇଥିବା ପେସା ଆଇନକୁ ରାଜ୍ୟ ସରକାର ଜାଣିଶୁଣି କାର୍ଯ୍ୟକାରୀ ନକରି ସମସ୍ତ କ୍ଷମତା ନିଜେ ଜାବୁଡି ଧରିବା ଉଦେ୍ଦଶ୍ୟରେ ସ୍ଥାନୀୟ ଜିଲ୍ଲାପାଳ ଓ ପ୍ରଶାସନ ହାତରେ କ୍ଷମତା ନ୍ୟସ୍ତ କରିଛନ୍ତି । ଗ୍ରାମସଭା ଦ୍ୱାରା ସ୍ଥାନୀୟ ଜନଜାତି ଅଂଚଳର ବିକାଶ ବିଷୟରେ ଚିନ୍ତା ନ କରାଯାଇ ସେଠାରେ ଥିବା ଜିଲ୍ଲାପାଳ ଶାସକ ବିଜେଡିକୁ ସୁହାଇବା ଭଳି ଜନଜାତି ବିରୋଧୀ କାର୍ଯ୍ୟ ହାତକୁ ନେଉଛନ୍ତି ଏବଂ ଏହା ଦ୍ୱାରା ଜନଜାତି ବର୍ଗ ଜଙ୍ଗଲ ଅଧିକାର ଆଇନରୁ ବଂଚିତ ହେଉଛନ୍ତି ।

ଜନଜାତିଙ୍କୁ ତାଙ୍କ ନ୍ୟାର୍ଯ୍ୟ ଜଙ୍ଗଲ ଜମି ଅଧିକାରରୁ ବଂଚିତ ରଖୁଥିବାବେଳେ ସରକାରୀ ଜମି ହଡପକାରୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର । ଆଦିବାସୀଙ୍କୁ ଦୀର୍ଘ ବର୍ଷ ଧରି ପଟ୍ଟା ଦିଆଯାଉନାହିଁ ଅନ୍ୟ ପଟେ ଜଙ୍ଗଲକୁ ଗଲେ ବନ ବିଭାଗ ଜୁଲମ କରୁଛି । ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ମଧ୍ୟ ବ୍ୟବସ୍ଥାକୁ ସଠିକ ଭାବେ ଲାଗୁ କରାଯାଇନାହିଁ । ଜନଜାତିଙ୍କ ଆର୍ଥିକ ବିକାଶ ପାଇଁ ୨୦୧୮ ମସିହାରୁ ମୋଦି ସରକାର ବନଧନ ବିକାଶ ଯୋଜନା ଲାଗୁ କରି ଆବଶ୍ୟକୀୟ ସହାୟତା ପ୍ରଦାନ କରିଥିବାବେଳେ ବିଜେଡି ସରକାର ବାଧକ ସାଜିଛନ୍ତି । ରାଜ୍ୟରେ କେତେ ବନଧନ କେନ୍ଦ୍ର ଖୋଲାଯାଇଛି ବୋଲି ପ୍ରଶ୍ନ କରିବା ସହିତ ଜନଜାତି ବର୍ଗକୁ ଶାସକ ବିଜେଡି କେବଳ ଭୋଟବ୍ୟାଂକ ଭାବେ ବ୍ୟବହାର କରିଚାଲିଛି ବୋଲି ମୋହନ  ମାଝୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଟ୍ରାଇବ ଆଡଭାଇଜରୀ କାଉନସିଲ୍ (ଟିଏସି) ବୈଠକ ଅନୁଷ୍ଠିତ ନହେବା କାରଣରୁ ଜନଜାତିବର୍ଗଙ୍କ ବହୁ ସମସ୍ୟାର ସମାଧାନ ହୋଇପାରୁନାହିଁ । ବାରମ୍ବାର ଦାବୀ ସତ୍ୱେ ମୁଖ୍ୟମନ୍ତ୍ରୀ ଆଦୈା ତତ୍ପରତା ଦେଖାଉନାହାନ୍ତି । ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ବଢ଼ୁଛି ସେମାନେ ହିଂସା ଏବଂ ଦ୍ୱେଷର ଶିକାର ହେଉଛନ୍ତି । ଓଡ଼ିଶାରେ ମାଗଣା ଆଇନ ସହାୟତା ସୁବିଧା ପାଉଥିବା ଜନଜାତି ମହିଳାଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ଓ ପୋଲିସଠାର ନ୍ୟାୟ ନମିଳିବାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଦଳିତ ବିରୋଧୀ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ । ଅଧିକାଂଶ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଉନାହିଁ । ଏହି କାରଣରୁ ଜନଜାତି ବର୍ଗ ଆଜି ଅସୁରକ୍ଷିତ ହୋଇପଡିଛନ୍ତି ବୋଲି ମୋହନ ମାଝୀ କହିଛନ୍ତି ।
ରାଜ୍ୟରେ ୬୫% ଆଦିବାସୀ ଶିଶୁ ରକ୍ତ ହୀନତାର ଓ ଅପପୁଷ୍ଟିର ଶିକାର । ସଠିକ ପ୍ରଚାର ପ୍ରସାର ଅଭାବରୁ ୨୧ଟି ଜନଜାତି ଭାଷା ପ୍ରାୟ ବିଲୁପ୍ତ । ଆଦିବାସୀ ଅଧ୍ୟୁଷିତ ଖଣି ଅଂଚଳର ବିକାଶ ପାଇଁ ସ୍ୱତନ୍ତ୍ର ଡିଏମଏଫ ପାଂଠିରେ ଗଚ୍ଛିତ ଥିବା ୧୬ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାକୁ ଶାସକ ବିଜେଡି ନେତା ଓ କର୍ମୀମାନେ ବ୍ୟାପକ ଭାବେ ହରିଲୁଟ୍ କରିବା କାରଣରୁ ବିକାଶ ବାଧାପ୍ରାପ୍ତ ହେଇଛି । ଜନଜାତି ବର୍ଗର ବିକାଶ ପାଇଁ ରହିଥିବା ଆଇଟିଡିଏ ବିଭାଗରେ ବ୍ୟାପକ ମାତ୍ରାରେ ଦୁର୍ନୀତି ହେଉଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି ଏବଂ ବିଜେଡି ସରକାର ଜନଜାତିଙ୍କ ପ୍ରତି ଏଭଳି ହେୟଜ୍ଞାନ ମାନସିକତାରୁ ନିବୃତ ରୁହନ୍ତୁ । ନଚେତ୍ ଜନଜାତିଙ୍କ ଆକ୍ରୋଶରେ ବିଜେଡି ସରକାର ନିଶ୍ଚିହ୍ନ ହୋଇଯିବେ ବୋଲି ମୋହନ ମାଝୀ କହିଛନ୍ତି ।

Leave A Reply

Your email address will not be published.