ଅମୃତ ମହୋତ୍ସବ ପାଇଁ ଆସନ୍ତା ୧୩ ରୁ ୧୫ ପର୍ଯ୍ୟନ୍ତ ସମସ୍ତ ଓଡିଶାବାସୀ ନିଜ ନିଜ ଘରେ ତ୍ରିରଙ୍ଗା ଉଡାଇବାକୁ ଆହ୍ୱାନ ଦେଲେ ବିଜେପି ରାଜ୍ୟ ସଭାପତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ୍ ସଂଗ୍ରାମୀ ଏବଂ ତାଙ୍କ ଜୀବନଶୈଳୀ ଓ ବିଚାରଧାରାକୁ ଆଜିର ଯୁବ ପୀଢିଙ୍କୁ ଅବଗତ କରାଇବା ନିହାତି ଆବଶ୍ୟକ । ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଦେଶ ଆଜି ଅମୃତ ମହୋତ୍ସବା ପାଳନ କରୁଛି । ସ୍ୱାଧୀନତାର ଶହେ ବର୍ଷ ପୂର୍ତି ଅବସରରେ ୨୦୪୭ ମସିହା ପର୍ଯ୍ୟନ୍ତ ଆଗାମୀ ୨୫ ବର୍ଷର ଏହି ଅମୃତ କାଳଖଣ୍ଡ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ୱାଧୀନତା ସଂଗ୍ରାମରୁ ଶକ୍ତି ଏବଂ ସ୍ୱାଧୀନତା ସେନାନୀଙ୍କ ବିଚାର ଓ ସଂକଳ୍ପକୁ ପାଥେୟ କରି ଆସନ୍ତା ଅମୃତ କାଳଖଣ୍ଡରେ ଭାରତବର୍ଷକୁ ଆତ୍ମନିର୍ଭର, ବିଶ୍ୱର ଶ୍ରେଷ୍ଠ ଦେଶ ଏବଂ ବିଶ୍ୱଗୁରୁ ଭାବେ ଗଢି ତୋଳିବା ପାଇଁ ଯୁବପୀଢିକୁ ସଂକଳ୍ପ ନେବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆହ୍ୱାନ ଦେଇଛନ୍ତି ।
ଦେଶର ଯୁବପିଢୀଙ୍କୁ ସ୍ୱାଧୀନତା ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଗ୍ରାମ ଏବଂ ବଳିଦାନ ସଂପର୍କରେ ଭଲଭାବେ ଅବଗତ କରାଇବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅମୃତ ମହୋତ୍ସବ ଅବସରରେ ଦେଶବ୍ୟାପୀ ‘ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ’ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମକୁ ଆହୁରି ଅଧିକ ପ୍ରଚାର ଓ ପ୍ରସାର କରିବା ପାଇଁ ଗତ ଅଗଷ୍ଟ କ୍ରାନ୍ତି ଦିବସ ୯ ତାରିଖରୁ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହଙ୍କ ଓଡିଶା ଗସ୍ତ ଅବସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ୯ ତାରିଖ ଦିନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରୋବୋଇସ୍ଥିତ ଗାନ୍ଦୀ ସ୍ମୃତିପୀଠରୁ ତ୍ରିରଙ୍ଗା ପଦଯାତ୍ରା ଆରମ୍ଭ କରିଥିଲେ । ଗତ ତିନି ଦିନରେ ୬୫ କିଲୋମିଟର ବାଟ ଅତିକ୍ରମ କରିବା ପରେ ଆଜି ଏହି ଯାତ୍ରା ପୁରୀ ଜିଲ୍ଲା ଅସ୍ତରଙ୍ଗ ଅନ୍ତର୍ଗତ ପ୍ରସିଦ୍ଧ ତଥା ଲବଣ ସତ୍ୟାଗ୍ରହର ଅନ୍ୟତମ ମୁକସାକ୍ଷୀ କୁହୁଡିଠାରେ ସମାପ୍ତ ହୋଇଛି । ତୃତୀୟ ଦିବସରେ ଆଜି କାକଟପୁର ମା ମଙ୍ଗଳା ପୀଠରୁ ଏହି ପଦଯାତ୍ରାରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତି ପରିଡା, ରାଜ୍ୟ ମୁଖପାତ୍ର ବିରଂଚି ତ୍ରିପାଠୀ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବାଇଧର ମଲ୍ଲିକ, ପ୍ରଭଞ୍ଜନ ମହାପାତ୍ର, ରବି ମଲ୍ଲିକଙ୍କ ସମେତ ବହୁ କାର୍ଯ୍ୟକର୍ତା ଏବଂ ଜନସାଧାରଣ ସାମିଲ ହୋଇଥିଲେ । ପଦଯାତ୍ରା ଶେଷରେ ମହାତ୍ମା ଗାନ୍ଧୀ ଏବଂ ଗୋପବନ୍ଧୁ ଦାଶ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ୧୯୩୦ ମସିହା ମେ ୨୧ ତାରିଖରେ କୁହୁଡି ଲବଣ ସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିବା ଭାଗବତ ନାୟକ, ଯଦୁମଣି ଲେଙ୍କା, ବୈକୁଂଠନାଥ ପ୍ରତିହାରୀ, ଦୈତାରୀ ମହାନ୍ତି, ଗତିକୃଷ୍ଣ ସ୍ୱାଇଁ, ମଧୁସୁଦନ ମିଶ୍ର, ପୁରୁଷୋତମ ମୁଦୁଲି, ବାଳକୃଷ୍ଣ ସ୍ୱାଇଁ, କୃପାସିନ୍ଧୁ ହୋତା, ସୁନାମଣି ଦେଇ, ଶଂକର ଷଡଙ୍ଗୀ, ଜଗନ୍ନାଥ ରଥ, ଅନନ୍ତ ମିଶ୍ର, ଯଦୁମଣି ପରିଡା, ରାଧା ଦେଇଙ୍କ ସମେତ ସମସ୍ତ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହିତ ତାଙ୍କ ପରିବାର ସଦସ୍ୟଙ୍କୁ ତ୍ରିରଙ୍ଗା ପତାକା ଏବଂ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ସହିତ ଆସନ୍ତା ୧୩ ରୁ ୧୫ ପର୍ଯ୍ୟନ୍ତ ସମସ୍ତ ଓଡିଶାବାସୀ ନିଜ ନିଜ ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।
ସେହିପରି ପାର୍ଟୀର ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ସଂଖ୍ୟାଲଘୁ ମୋର୍ଚ୍ଚା, ଓବିସି ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ବୁଦ୍ଧିଜୀବି ପ୍ରକୋଷ୍ଠ, ଲିଗାଲ ସେଲ୍ ତରଫରୁ ମୟୁରଭଂଜରୁ ଆରମ୍ଭ କରି ମାଲକାନଗିରି ଏବଂ ପୁରୀରୁ ଆରମ୍ଭ କରି ସମ୍ବଲପୁର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଂଚଳରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଉଦ୍ଦେଶ୍ୟରେ ତ୍ରିରଙ୍ଗା ପଦଯାତ୍ରା ଓ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.