ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ୨୫ରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେବ ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଜଣେ ହେଲେ ବାସହୀନ ରହିବେ ନାହିଁ ଏବଂ ସମସ୍ତଙ୍କୁ ପକ୍କାଘର ଯୋଗାଇ ଦେବାର ଦାୟୀତ୍ୱ ନେଇଛନ୍ତି କେନ୍ଦ୍ରରେ ମୋଦି ସରକାର । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ବହୁ ଆକାଂକ୍ଷିତ ଯୋଜନା ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ରାଜ୍ୟରେ ସଠିକ୍‌ତାର ସହ ପ୍ରଣୟନ ହେବା ପଇଁ ଭାରତୀୟ ଜନତା ପାର୍ଟି ସଜାଗ ଦୃଷ୍ଟି ରଖିଛି । ରାଜ୍ୟରେ ୨୭ ଲକ୍ଷ ପକ୍କାଘରର ଆବଶ୍ୟକତା ଥିବାର ରାଜ୍ୟ ସରକାର ବିଧାନସଭାରେ କହିଥିବାବେଳେ ମୋଦି ସରକାର ବର୍ତମାନ ସୁଦ୍ଧା ପାଖାପାଖି ୨୮ ଲକ୍ଷ ଘର ମଂଜୁର କରିଛନ୍ତି । ସଦ୍ୟ ଆବଂଟନ ହୋଇଥିବା ୯.୫୮ ଲକ୍ଷ ପକ୍କାଘର ପାଇଁ ଯୋଗ୍ୟ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର ।

ଦଳୀୟ ଆଧାରରେ ଏବଂ ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଏହି ସଂଖ୍ୟା ୩ ଲକ୍ଷରୁ ଉର୍ଦ୍ଧ୍ୱ ହେବାର ଆଶଂକା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଷଡଯନ୍ତ୍ର କରି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ରଖିଛନ୍ତି । ଜଣେ ହେଲେ ଯୋଗ୍ୟ ହିତାଧିକାରୀ ପକ୍କାଘର ପାଇବାରୁ ଯେପରି ବଂଚିତ ନହୁଅନ୍ତି, ସେଥିପାଇଁ ଭାରତୀୟ ଜନତା ପାର୍ଟୀ ସଜାଗ ଅଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଆସନ୍ତା କାଲି ହେଉଛି ଅଭିଯୋଗ ଦାଖଲର ଶେଷ ଦିନ । ତେଣୁ ଅଯୋଗ୍ୟଙ୍କୁ କାଟି ଯୋଗ୍ୟଙ୍କୁ ସାମିଲ କରିବାର ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର । ଏ ନେଇ ଆସନ୍ତା ୨୫ ତାରିଖ ଦିନ ବିଜେପି ତରଫରୁ ରାଜ୍ୟବ୍ୟାପୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦିଆଯିବ । ୭ ଦିନ ଭିତରେ ସମସ୍ୟାର ସମାଧାନ ନହେଲେ ବଂଚିତ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆନ୍ଦୋଳନ କରାଯିବ । ଏହା ସତ୍ୱେ ରାଜ୍ୟ ସରକାର କୈାଣସି ପଦକ୍ଷେପ ଗ୍ରହଣ ନକରିଲେ ବିଜେପି କେନ୍ଦ୍ର ସରକାରଙ୍କୁ ଅବଗତ କରିବା ସହ କୋର୍ଟର ମଧ୍ୟ ଦ୍ୱାରସ୍ଥ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Leave A Reply

Your email address will not be published.