ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ବିଜେପି କାର୍ଯ୍ୟକର୍ତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଶିଷ୍ଟ ରାଜନୈତିଜ୍ଞ, ପ୍ରବାଦ ପୁରୁଷ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଏକ ମହାନ ବ୍ୟକ୍ତିତ୍ୱ ଏବଂ କୋଟି କୋଟି କାର୍ଯ୍ୟକର୍ତାଙ୍କ ପ୍ରେରଣାର ସ୍ରୋତ ଥିଲେ । ୧୯୯୯ ମସିହା ମହାବାତ୍ୟା ପରେ ଓଡିଶାକୁ ପୁଣି ଥରେ ଗଢି ତୋଳିବା ପାଇଁ ସ୍ୱର୍ଗତଃ ବାଜପେୟୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ପରବର୍ତୀ ସମୟରେ ପାରାଦୀପ ରିଫାଇନାରୀ, ଇଷ୍ଟକୋଷ୍ଟ ରେଲୱେ ଜୋନ୍‌, ଏମ୍ସ ମେଡିକାଲର ପ୍ରତିଷ୍ଠା, ସ୍ୱର୍ଣ୍ଣ ଚର୍ତୁଭୂଜ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମାଚଂଳର ଚେହେରା ବଦଳାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ବହୁତ ବଡ ଭୂମିକା ଥିଲା । ଓଡିଶା ବିକାଶରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ମହାନ୍ତି କହିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ ।

୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ସୁରକ୍ଷା, ଟେଲିକମ, ଖାଦ୍ୟ ସୁରକ୍ଷା, ଶିକ୍ଷା, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ପ୍ରଧାନମନ୍ତ୍ରୀତ୍ୱ କାଳରେ ଅଟଳଜୀ ଦେଶରେ ସୁଶାସନ ବ୍ୟବସ୍ଥା କରିଥିଲେ । ସେଥିଲାଗି ପ୍ରତିବର୍ଷ ସାରାଭାରତରେ ଡିସେମ୍ବର ୨୫ତାରିଖକୁୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତଃ ବାଜପେୟୀ ଜୀଙ୍କ ୯୯ ତମ ଜନ୍ମ ଦିବସ ପାଳନ କରିବା ସହ ‘ଅଟଳ ସମ୍ମାନ -୨୦୨୨’ କାର୍ଯ୍ୟକ୍ରମ ଆୟୋଜନ ହେବା ସହିତ ସୁଶାସନ ଦିବସ ପାଳିତ ହୋଇଥିଲା ।

ଚଳିତ ବର୍ଷ ବିଶିଷ୍ଟ ସମାଜସେବୀ ସଂଗଠକ, ପୂର୍ବତନ ବିଧାୟକ ଏବଂ ବନବାସୀ ଜନନେତା ପୁରୁଷୋତମ ନାଏକଙ୍କୁ “ଅଟଳ ସମ୍ମାନ -୨୦୨୨” ସମ୍ମାନରେ ସମ୍ମାନୀତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ଭାରତୀୟ ଜନସଂଘ ଦଳର ମୂଳଦୁଆ ସ୍ଥାପନ କରି ପରବର୍ତୀ ସମୟରେ ଜଣେ ରାଷ୍ଟ୍ରବାଦୀ ଜନନାୟକଭାବେ ୧୯୭୭ ମସିହାରେ ଏବଂ ୨୦୦୦ ମସିହାରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ବିଧାୟକଭାବେ ନିର୍ବାଚିତ ହୋଇଥିଲେ । ବନବାସୀ ଛାତ୍ରୀମାନଙ୍କର ଉନ୍ନତି ନିମନ୍ତେ ନିଜ ଗ୍ରାମରେ ଗୋଟିଏ ନିଃଶୁଳ୍କ ଛାତ୍ରବାସ ସ୍ଥାପନା କରି ଅଦ୍ୟାବଧି ତା’ର ପରିଚାଳନା ଦାୟିତ୍ୱ ବହନ କରିଛନ୍ତି । ନିଜ ଅଂଚଳରେ ଉଚ୍ଚଶିକ୍ଷାର ବିକାଶ ପାଇଁ ଆପଣ କଳାବାଡିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଜଣେ ଆଗଧାଡିର ଜନନେତା ହିସାବରେ ଆପଣ “ଲ୍ୟାମ୍ପ୍ସ” ବାଙ୍ଗିରିପୋଷି ଶାଖାର ସଭାପତି ପଦରେ ଅବସ୍ଥାପିତ ହୋଇଥିଲେ ।

ବିଶିଷ୍ଟ ରାଷ୍ଟ୍ରବାଦୀ କବି, ବ୍ୟଙ୍ଗ ଲେଖକ ତଥା କାର୍ଟୁନିଷ୍ଟ ଯୋଗେଶ ଚନ୍ଦ୍ର ଦାସଙ୍କୁ “ଅଟଳ କବିତା ସମ୍ମାନ -୨୦୨୨”ରେ ସମ୍ମାନୀତ କରାଯାଇଛି । ଓଡ଼ିଆ ଭାଷାରେ ୧୯୭୭ ମସିହାରୁ ଆରମ୍ଭ କରି ଆଜିସୁଦ୍ଧା ନିରନ୍ତର କଲମ ଚାଳନା କରି ଆମ ଭାଷା ସାହିତ୍ୟର ଭଣ୍ଡାରକୁ ଶ୍ରୀ ଦାସ ଋଦ୍ଧିମନ୍ତ କରିଛନ୍ତି । ତାଙ୍କ ଦ୍ୱାରା ଲିଖିତ କବିତାମାନଙ୍କର ୨ଟି ସଂକଳନ “ପୃଥିବୀ ତିନୋଟି ସକାଳର” ଏବଂ “ଏକଲା ଏକଲା ପାନିପଥ“ ଓଡ଼ିଆ ପାଠକ ସମାଜରେ ଜାଗରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି ।

ସେହିପରି ବରିଷ୍ଠ ସମାଜସେବୀ, ସଂଗଠକ, ସମବାୟବିତ୍ ଏବଂ ଦୁଃଖୀ ଜନତାଙ୍କ ବନ୍ଧୁ ଶ୍ରୀ ପରମେଶ୍ୱର ଦାସଙ୍କୁ “ଅଟଳ ସମାଜସେବୀ ସମ୍ମାନ -୨୦୨୨” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଯାଜପୁର ଜିଲ୍ଲାରେ ଜଣେ ବରିଷ୍ଠ ସମାଜସେବୀ ଭାବେ ସୁପରିଚିତ ଶ୍ରୀ ଦାସ ନିଜ ଅଂଚଳରେ ସ୍ୱାସ୍ଥ୍ୟକେନ୍ଦ୍ର, ପଶୁ ଡାକ୍ତରଖାନା, ହନୁମାନ ମନ୍ଦିର, ପାଠାଗାର ସ୍ଥାପନା କାର୍ଯ୍ୟରେ ଆପଣ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛନ୍ତି । ସମବାୟ କ୍ଷେତ୍ରର ଜଣେ ସକ୍ରିୟ କାର୍ଯ୍ୟକର୍ତାଭାବେ ଗୃହନିର୍ମାଣ ସମବାୟ ସମିତି ଏବଂ ଆରଏମ୍‌ସି ଆଜି ଅନୁଷ୍ଠାନରେ ବିଭିନ୍ନ ଦାୟିତ୍ୱ ବହନ କରି ଶ୍ରୀ ଦାସ କାର୍ଯ୍ୟ କରିଛନ୍ତି । ଜଣେ ସାମ୍ବାଦିକଭାବେ ଆପଣ ନିଜ ଅଂଚଳର ସମ୍ବାଦକୁ ରାଜ୍ୟର ବିଭିନ୍ନ ପତ୍ରପତ୍ରିକାରେ ପରିବେଷଣ କରି ଜନମାନସକୁ ସଚେତନ କରିବା ସହିତ ଦୁସ୍ଥ, ପତିତ ଓ ଅସହାୟ ବ୍ୟକ୍ତିମାନଙ୍କୁ ସମୟ ସମୟରେ ସାହାଯ୍ୟର ହାତବଢ଼ାଇ ଶ୍ରୀ ଦାସ ମହତ କାର୍ଯ୍ୟ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ଅଟଳ ସମ୍ମାନ-୨୦୨୨’ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ବାର୍ତା ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ୍‌, ବରିଷ୍ଠ ନେତା ମହେଶ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ମନୋରଂଜନ ଦ୍ୟାନସାମନ୍ତରାୟ, ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବିଜେପି ସାଂସ୍କୃତିକ ପ୍ରକୋଷ୍ଟ ରାଜ୍ୟ ସଂଯୋଜକ ବିଶିଷ୍ଟ ଗୀତିକାର ପଂଚାନନ ନାୟକ ସଂଚାଳନା କରିଥିଲେ ଏବଂ ଅର୍ଚ୍ଚନା ପଲେଇ, କୃତିବାସ ରଥ, ରଶ୍ମୀରଂଜନ କାନୁନଗୋ, ଗୈାରିଶଂକର ସିଂହ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.