ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଖେଲୋ ଇଣ୍ଡିଆ ଲିଗ ଟୁର୍ଣ୍ଣାମେଣ୍ଟ ବିଜେତାଙ୍କୁ ସମ୍ବର୍ଦ୍ଧନା। ବାଲେଶ୍ଵର ଚାନ୍ଦିପୁର ଡିଆରଡିଓ ଅଡିଟରିମ ହଲରେ ମହିଳା ଫୁଟବଲ ଆସୋସିଏସନ ତରଫରୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ପିଏକ୍ସଇର ନିର୍ଦ୍ଦେଶକ ତଥା ବରିଷ୍ଠ ବୈଜ୍ଞାନିକ ସୁବୋଧ କୁମାର ନାୟକ ସଭାପତିତ୍ବ କରିଥିବାବେଳେ ସଂଯୁକ୍ତ ନିର୍ଦେଶକ କର୍ଣ୍ଣେଲ ସତୀଶ କୁମାର, ଓଡିଶା ଫୁଟବଲ ଆସୋସିଏସନର ଯୁଗ୍ମ ସମ୍ପାଦକ ମହମଦ୍ଦ ସାହିଦ ଜବାର, କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ, ବାଲେଶ୍ଵର ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷା ସୁଜାତା ଦାସ, ଆଇଟିଆରର ସହଯୋଗୀ ନିର୍ଦେଶିକା ବି ସୁଚରିତା, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଛାତ୍ରଛାତ୍ରୀ ଖେଳିବା ଆବଶ୍ୟକ।ଖେଳରେ ମଧ୍ୟ କ୍ୟାରିଅର କରିବା ସମ୍ଭବ।
ତେଣୁ ପାଠ ସହ ଖେଳ ପ୍ରତି ମଧ୍ୟ ରୁଚି ରଖିବାକୁ ଅତିଥି ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। କଟକ ବିଡାନାସୀରେ ଗତ ୨୨ ମାର୍ଚ୍ଚରୁ ୪ ଏପ୍ରିଲ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇଥିଲା। ଏଥିରେ ବିଜେତା ହାସଲ କରିଥିଲେ ଚାନ୍ଦିପୁରର ମହିଳା ଫୁଟବଲ ଆସୋସିଏସନ। ଏହାର ବାର୍ଷିକ ଉତ୍ସବ ଅବସରରେ ଉପଦେଷ୍ଟା ସାଦିକ ଆଲିଖାନ ଓ କୋଚ ଏମ୍ ବାପିଙ୍କ ନେତୃତ୍ୱରେ ମହିଳା ଖେଳାଳିମାନଙ୍କୁ ଅତିଥି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସମାଜସେବୀ ଆଲୋକ ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଛୋଟରାୟ ମହାନ୍ତି, ଜୟନ୍ତୀ ପ୍ରଭା ସାମଲ, କବିତା କର, ଭାରତୀ ଦାସ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।