ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ଇତିହାସ ରଚିବ ଭାରତ । ସଫଳ ହେବାକୁ ଯାଉଛି ଭାରତର ମିଶନ ଚନ୍ଦ୍ରଯାନ-୩ । ଆଉ ଠିକ୍ ୧୨ ଘଣ୍ଟା ପରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଦେଶର ବିଭିନ୍ନ ସ୍ଥାନରେ ଏଥିପାଇଁ ପୂଜାର୍ଚନା ହୋଇଛି । ଆଉ ଭାରତର ଏହି ମିଶନ ଚନ୍ଦ୍ରଯାନ ଉପରେ ଏବେ ସାରା ବିଶ୍ୱର ରହିଛି ନଜର । ଇସ୍ରୋ ସୂଚନା ଦେଇଛି ଯେ ମିସନ ଠିକ୍ ରାସ୍ତାରେ ଗତି କରୁଛି ଏବଂ ଆଜି ସନ୍ଧ୍ୟା ୬ଟା ୪ରେ ହିଁ ଏହା ଅବତରଣ କରିବ । ଗତ ରବିବାର ଏହି ମିସନର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ ବା ଗତିବେଗ ହ୍ରାସ ସଫଳତାର ସହ ସମ୍ପାଦନ କରାଯାଇଥିଲା ।
ଏହାର ଗତିବେଗ ନିୟନ୍ତ୍ରଣ ପ୍ରକ୍ରିୟା ଯଥାରୀତି ଜାରି ରହିଛି । ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି ଏବଂ ନରମ ଅବତରଣ ପାଇଁ ଏହା ସବୁ ଦିଗରୁ ସମର୍ଥ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ସେପଟେ ଶେଷ ୧୫ ମିନିଟ ବହୁ ଗୁରୁତ୍ୱପୂର୍ଣ୍ଣ । କାରଣ ଚନ୍ଦ୍ରରେ ପର୍ୟ୍ୟାପ୍ତ ବାୟୁ ନାହିଁ । ଅତ୍ୟଧିକ ଧୂଳି ରହିଛି । ତେଣୁ ଚନ୍ଦ୍ରରେ ହେଉ ଅବା ମଙ୍ଗଳଗ୍ରହରେ କୌଣସି ମହାକାଶଯାନ ଓହ୍ଲାଇଥାଏ ସେଠାରେ ବେଗ ଧୀମା କରିବାକୁ ପଡିଥାଏ ।