୫ହଜାର ଲୋକଙ୍କୁ ଶୁଣିଲେ ମୁଖ୍ୟମନ୍ତ୍ରୀ: ସମସ୍ୟା ସମାଧାନ ପାଇଁ ଆଶ୍ବାସନା ଦେଲେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ଶତାଧିକ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିବା ସହ ତା’ର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରି ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଶୁଣାଣି ଜାରି ରଖିଥିଲେ । ସମୁଦାୟ ୨୪୦୩ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ଏବଂ ପ୍ରାୟ ୫ ହଜାରରୁ ଅଧିକ ଲୋକ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟି ଥିଲେ ।

ଲୋକଙ୍କୁ ଆଶ୍ୱାସନା ଦେବା ଓ ସମସ୍ୟା ସମାଧାନ ହେବାର ପ୍ରତିଶୃତି ଦେବା ସହିତ ଧର୍ଯ୍ୟହରା ନ ହେବା ପାଇଁ ପରାମର୍ଶ ଦେଇଛନ୍ତି ।  ଆଜି ବହୁ ଭିନ୍ନକ୍ଷମ, ବୃଦ୍ଧ ବ୍ୟକ୍ତି ସେମାନଙ୍କ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଦୀର୍ଘ ବର୍ଷ ହେଲା ସେମାନଙ୍କ ଅଭିଯୋଗ ସମାଧାନ ହେଉନଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ କ୍ଷୋଭ ପ୍ରକାଶ କରିଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶ୍ବାସନା ପାଇ ଆଶା ଓ ଭରସାର ସହ ଖୁସି ମନରେ ଫେରୁଥିବା ଦେଖିବାକୁ ମିଳିଥିଲା।

ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳମାନଙ୍କୁ ଫୋନ୍‌ କରି ଏହାର ତ୍ବରିତ ସମାଧାନ ପାଇଁ ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.