ମହିଳା କୁସ୍ତି ଖେଳାଳି ମାନଙ୍କ ଉପରେ ବିଜେପି ସାଂସଦଙ୍କ ଯୈାନ ନିର୍ଯ୍ୟାତନାକୁ ଧିକ୍କାର କରି ରାଜଧାନୀ ଭୁବନେଶ୍ବରରେ ନାଗରିକ ପ୍ରତିବାଦ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଯେଉଁ ମହିଳା କୁସ୍ତି ଯୋଦ୍ଧା ମାନେ ଦେଶ ବିଦେଶରେ ନିଜର କଳା କୈାଶଳ ପ୍ରଦର୍ଶନ କରି ଦେଶର ସୁନାମ ବୃଦ୍ଧି କରୁଥିଲେ ଏବଂ ସ୍ୱୟଂ ପ୍ରଧାନମନ୍ତ୍ରୀ ତା’ର ଶ୍ରେୟ ନେଉଥିଲେ, ଏବେ ସେମାନଙ୍କ ପ୍ରତି ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଯୈାନ ନିର୍ଯାତନା ଘଟଣାରେ ଶାସକ ବିଜେପିର ଲଜ୍ଜା ଜନକ ନୀରବତା ଓ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭୁବନେଶ୍ବର ନାଗରିକ ସମାଜ ପକ୍ଷରୁ ଆଜି ଆୟୋଜିତ ଏକ ଗଣ ପ୍ରତିବାଦରେ ଅଭିଯୋଗ କରାଯାଇଛି। ବିଭିନ୍ନ ନାଗରିକ ଓ ଗଣତାନ୍ତ୍ରିକ ସଂଗଠନ ମାନଙ୍କ ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଏହି ଘଟଣାକୁ ତୀବ୍ର ନିନ୍ଦା କରି ‘ଧିକ୍କାର ଦିବସ’ ପାଳନ ମାଧ୍ୟମରେ ପ୍ରତିବାଦ ଆୟୋଜନ କରାଯାଇଥିଲା।

ପ୍ରତିବାଦକାରୀ ମାନେ ଅଭିଯୋଗ କରିଛନ୍ତି ଯେ, ‘ବେଟି ପଢାଓ ଓ ବେଟି ବଢାଓ’ ସ୍ଲୋଗାନ ଦେଉଥିବା ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ସରକାର ଦେଶର ସମ୍ମାନ ମାନଙ୍କୁ ଅସମ୍ମାନିତ କରିବା ଓ ସେମାନଙ୍କୁ ଯୈାନ ନିର୍ଯାତନା ଦେବା ଭଳି ଘଟଣା ସାରା ବିଶ୍ୱରେ ଭାରତର ଛବିକୁ ମଳିନ କରିଛି । ଏପରିକି ଅଭିଯୁକ୍ତ ଅପରାଧୀ ବିଜେପି ସାଂସଦଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ଗ୍ରହଣ ନ କରିବାରୁ ସେମାନଙ୍କୁ ସୁପ୍ରିମକୋର୍ଟ ଯିବାକୁ ପଡ଼ିଛି । କିନ୍ତୁ ସୁପ୍ରିମକୋର୍ଟ ର ନିର୍ଦ୍ଦେଶ ସତ୍ବେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ବ୍ରିଜଭୂଷଣ ସିଂ ଙ୍କୁ ଗିରଫ କରାଯାଇନାହିଁ କିମ୍ବା ଭାରତୀୟ କୁସ୍ତି ମହାସଂଘର ସଭାପତି ପଦରୁ ତାଙ୍କୁ ପଦଚ୍ୟୁତ କରାଯାଇନାହିଁ। ଅପର ପକ୍ଷରେ ଖରା ଓ ଶୀତ କାକରରେ ନ୍ୟାୟ ପାଇଁ ଲଢେଇ କରୁଥିବା ମହିଳା କୁସ୍ତି ଯୋଦ୍ଧା ମାନଙ୍କୁ ସୁରକ୍ଷା ଦେବା ତ ଦୂରର କଥା, ଦିଲ୍ଲୀ ପୋଲିସ୍ ରାତିରେ ଗୁଣ୍ଡା ଭଳି ସେମାନଙ୍କ ଉପରେ ଆକ୍ରମଣ କରିଛି, ଯାହା ‘କଟା ଘା’ରେ ଲୁଣ ଦେବା ଭଳି ଲଜ୍ଜା ଜନକ ନିଦର୍ଶନ ସୃଷ୍ଟି କରିଛି । ମହିଳା କୁସ୍ତି ଯୋଦ୍ଧା ମାନେ ନ୍ୟାୟ ପାଇଁ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ଆଇନ୍ ର ଶାସନ କଥା କହୁଥିବା ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଲଜ୍ଜା ଜନକ ଭାବେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି।

କୃଷକମାନଙ୍କ ଆନ୍ଦୋଳନକୁ ଦମନ କରିବା ଓ ପିଟିବା ପରେ ଏବେ ଦେଶ ପାଇଁ ମେଡାଲ ଆଣିଥିବା ଆମ ଝିଅ ବା ମହିଳା କୁସ୍ତି ଖେଳାଳିଙ୍କ ଉପରେ ମଧ୍ୟ ମୋଦୀ ସରକାର ପୋଲିସ ଲଗାଇ ଅତି ନଗ୍ନ ଭାବେ ଆକ୍ରମଣ ଆରମ୍ଭ କରି ଦେଇଛି । ଦିଲ୍ଲୀର ସୀମାକୁ ସିଲ୍ କରା ଯାଉଛି । କିନ୍ତୁ ବଳାତ୍କାରୀ ସାଂସଦକୁ ଗିରଫ୍ କରାଯାଉନାହିଁ ଏବଂ ସେ ବାହାରେ ବୁଲି ବୁଲି ଟିଭିକୁ ସାକ୍ଷାତକାର ଦେଇଚାଲିଛି।

ଏହି ପରିପ୍ରେକ୍ଷୀରେ ମହିଳା କୁସ୍ତି ଯୋଦ୍ଧା ମାନଙ୍କୁ ସୁରକ୍ଷା ପ୍ରଦାନ ସହିତ

  • ମହିଳା କୁସ୍ତି ଯୋଦ୍ଧା ମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ଅଭିଯୋଗ ରେ ଅଭିଯୁକ୍ତ ବିଜେପି ର ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ତୁରନ୍ତ କୁସ୍ତି ଯୋଦ୍ଧା ମହାସଂଘ ର ସଭାପତି ପଦବୀ ରୁ ବହିଷ୍କାର କରିବା,
  • ସର୍ବୋଚ୍ଚ ନ୍ୟାୟାଳୟ ର ଜଣେ ଅବସରପ୍ରାପ୍ତ ବିଚାରପତି ଙ୍କ ଦ୍ୱାରା ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବା ,
  • ଅଭିଯୋଗକାରୀଙ୍କ ଏଫ .ଆଇ. ଆର୍. ଆଧାରରେ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ତୁରନ୍ତ ଗିରଫ କରିବା ,
  • ଆମ ଦେଶ ର ସମ୍ମାନ, ଗର୍ବ ଏବଂ ଗୌରବ ଜାତୀୟ ମହିଳା କୁସ୍ତିଯୋଦ୍ଧା ମାନଙ୍କୁ ନ୍ୟାୟ ଦେବାକୁ ବିଭିନ୍ନ ନାଗରିକ ସମାଜ ଓ ଗଣତାନ୍ତ୍ରିକ ସଂଗଠନ ମାନଙ୍କ ପକ୍ଷରୁ ଦାବି କରାଯାଇଛି l

ଆଜିର ଏହି ଧିକ୍କାର ପ୍ରତିବାଦ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜବିଦ୍ ବୁଦ୍ଧିଜୀବୀ ଆଶା ହଂସ, ନାରୀନେତ୍ରୀ ତାପସୀ ପ୍ରହରାଜ, ପ୍ରାଧ୍ୟାପକ ବିଜୟ ବହିଦାର, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, କୃଷକ ନେତା ସୁରେଶ ପାଣିଗ୍ରାହୀ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ମହାନଦୀ ବଞ୍ଚାଅ ଆନ୍ଦୋଳନ ନେତା ସୁଦର୍ଶନ ଦାସ, ମାନବାଧିକାର କର୍ମୀ ନରେନ୍ଦ୍ର ମହାନ୍ତି, ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ପ୍ରଭାତ ପାଣିଗ୍ରାହୀ, ନାରୀନେତ୍ରୀ ପୁଷ୍ପା ପଣ୍ଡା, ମୀନତି ପାଣିଗ୍ରାହୀ, ସମାଜସେବୀ ସ୍ନେହ ମିଶ୍ର, ଡଃ ଶ୍ରୀଚରଣ ବେହେରା, ସସ୍ମିତା ଜେନା, ରୁମିତା କୁଣ୍ଡୁ, ଅଖିଳ ଭାରତ ଜନମଞ୍ଚର ପଞ୍ଚାନନ ସେନାପତି, ପ୍ରଭାସ ସାମନ୍ତରାୟ, ସାମ୍ବାଦିକ ସତୀଶ୍ ମିଶ୍ର, ରାଷ୍ଟ୍ରୀୟ ଯୁବା ସଂଗଠନର ମାନସ ପଟ୍ଟନାୟକ, ଯୁବ ନେତା ରାକେଶ କାନୁନଗୋ, ଷ୍ଟାଲିନ୍ ଲେଙ୍କାଙ୍କ ସମେତ ବିଭିନ୍ନ ଗଣସଂଗଠନ ପକ୍ଷରୁ ରଶ୍ମୀପ୍ରଭା ନାୟକ, କ୍ଷୀରମଣୀ ମହାନ୍ତ,ପ୍ରଦୀପ ମହାନ୍ତି, ରାମଚନ୍ଦ୍ର ତ୍ରିପାଠୀ, ସୁଶୀଲ ଗିରି, ଜଗଦୀଶ ଜେନା,ଅମୀୟ ପଟ୍ଟନାୟକ, କବିତା ନାୟକ, ବିଷ୍ଣୁପ୍ରିୟା ମହାରଣା, ମମତା ସ୍ୱାଇଁ, ସରୋଜିନୀ ସେଠୀ, ନିରୁପମା ନାୟକ ଓ ଅନ୍ୟାନ୍ୟ ବହୁ ପ୍ରତିବାଦକାରୀ ସାମିଲ୍ ହୋଇଥିଲେ । ମହିଳା କୁସ୍ତି ଯୋଦ୍ଧା ମାନଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ପରିବ୍ୟାପ୍ତ କରାଯିବ ବୋଲି ପ୍ରତିବାଦ ସ୍ଥଳୀରେ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.