ଆଇନ ସମ୍ପର୍କୀତ ବିଭିନ୍ନ ଜାତୀୟ ସମ୍ମିଳନୀ କରିବା ପାଇଁ ଓଡିଶା ହିଁ ପ୍ରକୃଷ୍ଟ ସ୍ଥାନ, ଇ- ଇନିସିଏଟିଭସ ସମ୍ପର୍କୀତ ଦୁଇ ଦିନିଆ କର୍ମଶାଳାରେ ମତ ରଖିଲେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଇନ ସମ୍ପର୍କୀତ ବିଭିନ୍ନ ଜାତୀୟ ସମ୍ମିଳନୀ କରିବା ପାଇଁ ଓଡିଶା ହିଁ ପ୍ରକୃଷ୍ଟ ସ୍ଥାନ। ପ୍ରଯୁକ୍ତି ବିଦ୍ୟାର ପର୍ଯ୍ୟାପ୍ତ ବ୍ୟବହାର ଓଡ଼ିଶାର ଜୁଡିସିଆରୀରେ ହୋଇ ପାରିଛି। ଏହା କହିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଏ ଏସ ବୋପାନ୍ନା। ଓଡିଶା ଜୁଡିସିଆଲ ଏକାଡେମୀରେ ଚାଲିଥିବା ଡିଜିଟାଇଜେସନ, ପେପରଲେସ କୋର୍ଟସ ଓ ଇ- ଇନିସିଏଟିଭସ ସମ୍ପର୍କୀତ ଦୁଇ ଦିନିଆ କର୍ମଶାଳା ଉଦଯାପିତ ହୋଇ ଯାଇଛି। ଗତ ଦୁଇ ଦିନ ଧରି ଦେଶର ବିଭିନ୍ନ ରାଜ୍ୟର ହାଇକୋର୍ଟରେ କିଭଳି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହୋଇ ପେପର ଲେସ ଓ ଡିଜିଟାଇଜେସନ ହୋଇ ପାରିଛି ସେ ସମ୍ପର୍କରେ ନିଜ ନିଜର ଉପସ୍ଥାପନ ରଖିଥିଲେ। ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର କହିଥିଲେ ଯେ, ବିଭିନ୍ନ ହାଇକୋର୍ଟ ପକ୍ଷରୁ ହୋଇଥିବା ଉପସ୍ଥାପନ ଦ୍ୱାରା ଜଣାପଡ଼ିଛି ଯେ, ପ୍ରଯୁକ୍ତି ବିଦ୍ୟା ଦେଶର ସବୁ ହାଇକୋର୍ଟରେ ଉପଯୋଗ ହୋଇ ପାରିଛି। କିଏ କେଉଁ କ୍ଷେତ୍ରରେ ଆଗରେ ରହିଥିବା ବେଳେ ଏଭଳି ଜାତୀୟ ସମ୍ମିଳନୀ ଦ୍ୱାରା ଅନ୍ୟ ହାଇକୋର୍ଟ ତାହା ଗ୍ରହଣ କରିବାରେ ସହାୟକ ହୋଇ ପାରିବ। ଟ୍ୱିଟର, ଫେସବୁକ ଭଳି ସୋସିଆଲ ମେଡିଆ ମାମଲାର ପରିଚାଳନାକୁ ପ୍ରଭାବିତ କରୁଥିବା ବେଳେ ସେ ସମ୍ପର୍କୀତ ସ୍ୱତନ୍ତ୍ର ଜୁଡିସିଆରୀ ସମ୍ମିଳନୀର ଆବଶ୍ୟକତା ଥିବା କହିଥିଲେ।
ଉଦଯାପନୀ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ କ୍ରିଷ୍ଣା ମୁରାରୀ ଯୋଗ ଦେଇ କହିଥିଲେ ଯେ, ଜୀଵନର ସବୁ ସମୟରେ ଶିଖିବାର ରହିଛି। ଯଦିଓ ପ୍ରଯୁକ୍ତି ବିଦ୍ୟାକୁ ଆମେ ଆପଣେଇବା ନାହିଁ, ତେବେ ପଛରେ ପଡିଯିବା। ସେହିଭଳି ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ଏ ଏସ ବୋପାନ୍ନା କହିଥିଲେ ଯେ, କୋଭିଡ ୧୯ ବିଶ୍ୱରେ ବହୁ ପରିବର୍ତ୍ତନ କରିଦେଇଛି। ଭାରତରେ ବିଶେଷ ଭାବେ କୋର୍ଟ କାର୍ଯ୍ୟ ଭର୍ଚୁଆଲ ଓ ପେପରଲେସ କୋଭିଡ ପାଇଁ ହୋଇପାରିଛି। ଏହି ଦୁଇ ଦିନିଆ ସମ୍ମିଳନୀରେ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି, ବିଚାରପତି, ଓଡିଶା ହାଇକୋର୍ଟର ସମସ୍ତ ବିଚାରପତି, ଓଡ଼ିଶାର ବିଭିନ୍ନ ଜିଲ୍ଲାଜଜ, ଜୁଡିସିଆଲ ଅଫିସର, ହାଇକୋର୍ଟ ରେଜିଷ୍ଟ୍ରି ଅଧିକାରୀ ଓ କର୍ମଚାରୀ, ଓଡିଶା ହାଇକୋର୍ଟର ଡିଜିଟାଇଜେସନ ଓ ଆଇଟି ଟିମ କର୍ମକର୍ତ୍ତା, ଓଡିଶା ଜୁଡିସିଆଲ ଏକାଡେମୀ ଅଧିକାରୀ ଓ କର୍ମକର୍ତ୍ତା, ଓଡିଶା ଲିଗାଲ ସର୍ଭିସ ଅଥରିଟି ଏଥିରେ ସାମିଲ ହୋଇଥିଲେ।