ମୋଦିଙ୍କୁ ଭେଟି ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ନବୀନ, ରାଜ୍ୟର ବିକାଶ ପାଇଁ କେନ୍ଦ୍ରର ଲୋଡ଼ିଲେ ସହାୟତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ଶ୍ରୀଜଗନ୍ନାଥ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ବ୍ୟତୀତ ଆଉ ତିନିଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଗରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରତି ପଞ୍ଚାୟତକୁ ଇଣ୍ଟରନେଟ୍‌ ବ୍ୟବସ୍ଥା ନେବା ପାଇଁ ଭାରତ ନେଟ୍‌ ଫେଜ ଟୁ କାର୍ଯ୍ୟକାରୀ ହେଉଛି। ରାଜ୍ୟ ସରକାର ଏନେଇ ଏକ ଡିପିଆର କେନ୍ଦ୍ର ସରକାରଙ୍କୁ ଦେଇଥିଲେ । ତାହା ଗ୍ରହଣ ହୋଇନାହିଁ। ଏହାକୁ ଟେଲିକମ୍‌ କମ୍ୟୁନିକେସନ ବିଭାଗ ଖୁବଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଗରେ ଦାବି ରଖିଛନ୍ତି ନବୀନ । ସେହିପରି ୮ଟି ଜାତୀୟ ରାଜପଥ ପ୍ରକଳ୍ପ ଅଧାପନ୍ତରିଆ ହୋଇପଡ଼ିଛି। ୨୦୧୭-୧୮ରୁ ଏହା ଆରମ୍ଭ ହୋଇଥିଲେ ମଧ୍ୟ କାର୍ଯ୍ୟ ସରୁନାହିଁ। ତେଣୁ ଏହାକୁ ତୁରନ୍ତ ସାରିବାକୁ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି । ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି ।

ରାଜ୍ୟରେ ୬ ହଜାର ୭ଶହ ପଞ୍ଚାୟତ ରହିଛି। ସେଥିରୁ ୨୮୪୪ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ରହିଛି । ବାକି ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କିଙ୍ଗ ସୁବିଧା ନାହିଁ। ତେଣୁ ଟଙ୍କା କାରବାର ନେଇ ସମସ୍ୟାରେ ପଡୁଛନ୍ତି ଲୋକେ। ପେନସନଧାରୀ, ବୟସ୍କ ବ୍ୟକ୍ତି ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସମୁଦାୟ ପେନସନଧାରୀଙ୍କ ମଧ୍ୟରୁ ୨୦ ପ୍ରତିଶତ ହିତାଧିକାରୀଙ୍କ ଘରକୁ ଯାଇ ସେବା ଯୋଗାଇ ଦେବାକୁ ସେ ଦାବି ରଖିଛନ୍ତି । ଦୁଇବର୍ଷ ଭିତରେ ସବୁ ପଞ୍ଚାୟତ ବ୍ୟାଙ୍କର ବ୍ରାଞ୍ଚ ଖୋଳିବାକୁ ଏକ ପ୍ଲାନ ପ୍ରସ୍ତୁତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.