‘ଶ୍ରୀଭୂମି ଗ୍ରୁପ ଅଫ କମ୍ପାନିଜ’ ଚିଟଫଣ୍ଡ କମ୍ପାନୀର ସମସ୍ତ ସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କର, ସ୍ୱତନ୍ତ୍ର ଓପିଆଇଡି କୋର୍ଟ ଦେଲେ ନିର୍ଦ୍ଦେଶ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ଓପିଆଇଡି କୋର୍ଟ ପୁଣି ଏକ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଭୂମି ଗ୍ରୁପ ଅଫ କମ୍ପାନିଜ ଚିଟଫଣ୍ଡ କମ୍ପାନୀର ସମସ୍ତ ସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ସ୍ୱତନ୍ତ୍ର ଓପିଆଇଡି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚିଟଫଣ୍ଡ କମ୍ପାନୀ ନାମରେ ଥିବା ୨୪ ଏକର ଭୁସମ୍ପତ୍ତିକୁ ବାଜ୍ୟାପ୍ତ କରିଛନ୍ତି ଓପିଆଇଡି କୋର୍ଟ। ଶ୍ରୀଭୂମି ଚିଟଫଣ୍ଡ କମ୍ପାନୀ ଜମାକାରୀଙ୍କ ଠାରୁ ୭ କୋଟି ଟଙ୍କାର ଠକେଇ କରିଥିବାର ଅଭିଯୋଗ ହୋଇଥିଲା।
ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ନିଲାମ କରି କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓପିଆଇଡି କୋର୍ଟ। ପୂର୍ବରୁ ୨୦୧୭ ମସିହାରେ ଶ୍ରୀଭୂମି ଚିଟଫଣ୍ଡ କମ୍ପାନୀର ୪୬ ଏକର ଭୁସମ୍ପତ୍ତି ବାଜ୍ୟାପ୍ତ ହୋଇଥିଲା। ଏହା ସହିତ ବ୍ୟାଙ୍କ ଜମା ଥିବା ସାଢ଼େ ୩ ଲକ୍ଷ ଟଙ୍କାକୁ ମଧ୍ୟ ବାଜ୍ୟାପ୍ତି କରିଥିଲେ ଓପିଆଇଡି କୋର୍ଟ। ଏବେ ହୋଇଥିବା ସମ୍ପତ୍ତି ବାଜ୍ୟାପ୍ତି ମାମଲାରେ ଓପିଆଇଡି କୋର୍ଟରେ ସରକାରଙ୍କ ପକ୍ଷରୁ ୪୦ ଟି ଦଲିଲ ଦାଖଲ ହୋଇଥିଲା। କଟକ ଏଡିଏମ ତଥା ପ୍ରାଧିକୃତ ଅଧିକାରୀ ଓପିଆଇଡି କୋର୍ଟରେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଏହି ମାମଲା ରୁଜ୍ଜୁ କରିଥିଲେ। ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ସୁବ୍ରତ ମହାନ୍ତି।